୮୦୦ କୋଟିର ଶ୍ରୀଜଗନ୍ନାଥ ଐତିହ୍ୟ କରିଡର; ବଦଳୁଛି ଶ୍ରୀକ୍ଷେତ୍ରର ରୂପରେଖ

୨୦୧୯ ମସିହାରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପାଇଁ ରାଜ୍ୟ ସରକାର ୮୦୦ କୋଟି ଟଙ୍କାର ପ୍ରୋଜେକ୍ଟ ଘୋଷଣା । ଶ୍ରୀମନ୍ଦିର କରିଡର କାମ ସାରିଲା ପରେ ସବୁଜ ବଳୟ ସାଙ୍ଗକୁ କଳିଙ୍ଗ ସ୍ଥାପତ୍ୟରେ ଝଟକିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଯିବ ଆଉ ଏକ ନୂଆ ଅଧ୍ୟାୟ ।

290

ବଦଳୁଛି ଶ୍ରୀକ୍ଷେତ୍ରର ରୂପରେଖ । ତେବେ କୋଟି ଓଡ଼ିଆଙ୍କ ହୃଦୟର ଦେବତା ଶ୍ରୀଜଗନ୍ନାଥଙ୍କୁ ନେଇ ଲୋକେ ଯେମିତି ଭାବପ୍ରବଣ, ଠିକ୍‌ ସେମିତି ଶ୍ରୀକ୍ଷେତ୍ରକୁ ନେଇ ମଧ୍ୟ । ଏବେ ରାଜ୍ୟ ସରକାର ଶ୍ରୀକ୍ଷେତ୍ରର ବିକାଶକୁ ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି । ଶ୍ରୀକ୍ଷେତ୍ର ପାଇଁ ଦେଖାଯାଇଥିବା ସମସ୍ତ ସ୍ବପ୍ନ ଧୀରେ ଧୀରେ ବାସ୍ତବ ରୂପ ନେଉଛି । ଶ୍ରୀମନ୍ଦିର ୭୫ ମିଟର ପରିଧିରେ ନିର୍ମାଣ ହେବ ଅଭେଦ୍ୟ ସୁରକ୍ଷା କରିଡର । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ସରକାରଙ୍କ ଦ୍ୱାରା ନିରନ୍ତର ପଦକ୍ଷେପ ଜାରି ରହିଛି । ଶ୍ରୀମନ୍ଦିର କରିଡର କାମ ସାରିଲା ପରେ ସବୁଜ ବଳୟ ସାଙ୍ଗକୁ କଳିଙ୍ଗ ସ୍ଥାପତ୍ୟରେ ଝଟକିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଯିବ ଆଉ ଏକ ନୂଆ ଅଧ୍ୟାୟ ।

Jagannath Heritage Corridor plan
                                                                                            @theUnfading

୨୦୧୯ ମସିହାରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପାଇଁ ରାଜ୍ୟ ସରକାର ୮୦୦ କୋଟି ଟଙ୍କାର ପ୍ରୋଜେକ୍ଟ ଘୋଷଣା କରିଥିଲେ । ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ଓ ପାର୍ଶ୍ବବର୍ତ୍ତୀ ମଠ ମନ୍ଦିରର ବିକାଶ କରାଯିବ। ଯୋଜନା ମୁତାବକ ଏହା ମଧ୍ୟରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଲ୍‌ଡିଂ, ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର, ରଘୁନାଥ ପାଠାଗାର, ସମନ୍ବିତ ନିୟନ୍ତ୍ରଣ କେନ୍ଦ୍ର ନିର୍ମିତ ହେବ। ଏହି ପରିସରରେ ଆସୁଥିବା ସମସ୍ତ ମଠକୁ କଳିଙ୍ଗ କଳା ସ୍ଥାପତ୍ୟ ଶୈଳୀରେ ବିକାଶ କରାଯିବ। ବିକାଶ କାର୍ଯ୍ୟ ତ୍ବରାନ୍ବିତ ହେବା ବେଳେ ସେମାନଙ୍କର ପରମ୍ପରା ଯେପରି ଉଜ୍ଜୀବୀତ ରହିବ ‌ତା’ ଉପରେ ଗୁରୁତ୍ବ ଦିଆଯିବ । ଐତିହ୍ୟ କରିଡର ମଧ୍ୟରେ ପ୍ରାୟ ୨୦ ଏକର ଅଞ୍ଚଳ ଅଧିଗ୍ରହଣ ହୋଇଛି ।

Jagannath Heritage Corridor plan
                                                                                      @DebabrataTOI

୯ ଭାଗରେ ହେବ ଐତିହ୍ୟ କରିଡର –

ମେଘନାଦ ପାଚେରିଠାରୁ ୭ ମିଟର ବଫର ଜୋନ୍‌ ହେବ । ଏହା ମଧ୍ୟରୁ ୨ ମିଟର ମେଘନାଦ ପାଚେରିର ରକ୍ଷଣା ବେକ୍ଷଣ, ୫ ମିଟର ୧ ଫୁଟ ଉଚ୍ଚ ବିଶିଷ୍ଟ ପିଣ୍ଡି ଓ ସବୁଜ ବଳୟ ସୃଷ୍ଟି କରାଯିବ। ପରବର୍ତ୍ତୀ ୧୦ ମିଟରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା ଉଦ୍ଦେଶ୍ୟର ଖୋଲା ରଖାଯିବ । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏଇ ନିର୍ଦ୍ଦିଷ୍ଟ ମାର୍ଗ ଦେଇ ଯିବାର ବ୍ୟବସ୍ଥା ହୋଇଛି । ୧୦ ମିଟରରୁ ୧୪ ମିଟର ମଧ୍ୟରେ ଲ୍ୟାଣ୍ଡ୍‌ ସ୍କେପ୍‌ ଜୋନ୍‌ ରହିବ। ଏହା ମଧ୍ୟରେ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ବୃକ୍ଷରାଜି ରୋପଣ କରାଯିବ। ପରବର୍ତ୍ତୀ ୮ ମିଟର ବାହ୍ୟ ପରିକ୍ରମା ମାର୍ଗ ଭାବେ ବ୍ୟବହୃତ ହେବ। ଏହାର ଦୁଇ ପାର୍ଶ୍ବରେ ଗଛ ଲଗାଯିବ। ଭକ୍ତ ଓ ପର୍ଯ୍ୟଟକଙ୍କୁ ଛାଇ ପ୍ରଦାନ କରିବାରେ ସହାୟ ହେବ । ଏହା ପରବର୍ତ୍ତୀ ୧୦ ମିଟର ଜନସାଧାରଣଙ୍କ ସୁବିଧା ନିମନ୍ତେ ବ୍ୟବସ୍ଥା ରହିବ। ଏହି ଅଞ୍ଚଳରେ ବିଶ୍ରାମ ଗୃହ, ପାନୀୟ ଜଳ, ଦାନ ଗ୍ରହଣ କେନ୍ଦ୍ର, ସୂଚନା କେନ୍ଦ୍ର ଆଦି ରହିବ। ପରବର୍ତ୍ତୀ ୫ ମିଟରରେ କରିଡରର ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯିବ । ୪.୫ ମିଟର ମଧ୍ୟରେ ଜୁରୁରିକାଳୀନ ସେବା ସୁବିଧା ରହିବ। ୭.୫ ମିଟର ମଧ୍ୟରେ ଟ୍ରାଫିକ୍‌ ଲେନ୍‌ ରହିବ। ଏହା ଯାନବାହନ ପ୍ରସ୍ଥାନ ସହ କରିଡର ସଂଲଗ୍ନ ସାହିକୁ ସଂଯୋଗ କରିବ । ୭ ମିଟର ମଧ୍ୟରେ ପାର୍ଶ୍ବବର୍ତ୍ତୀ ବାସିନ୍ଦାଙ୍କ ସୁବିଧା ପାଇଁ ବ୍ୟବହୃତ ହେବ। ଏଥିସହ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଗାଡ଼ି ପାର୍କିଂ, ଆବର୍ଜନା କୁଣ୍ଡ, ଭକ୍ତଙ୍କ ବସିବା ବ୍ୟବସ୍ଥା ରହିବ। କରିଡରର ରୂପରେଖ: ମିନି କ୍ଲକ୍‌ରୁମ୍‌: ୩ଟିଳ ସୂଚନା ଓ ଦାନ କିଓସ୍କୋ: ୩ଟି, ଆଶ୍ରୟ ଘର: ୫ଟି, ପୁରୁଷ ଓ ମହିଳାଙ୍କ ପାଇଁ ଶୌଚାଳୟ: ୬ଟି, ସେବାୟତଙ୍କ ଶୌଚାଳୟ: ୨ଟି, ପୁଲିସ୍‌ ସେବା କେନ୍ଦ୍ର: ‌ଗୋଟିଏ, ଏଟିଏମ୍‌ କିଓସ୍କୋ: ଗୋଟିଏ, ୧୦୦ ଜଣଙ୍କ ବସିବା ପାଇଁ ଭଜନ ମଣ୍ଡପ: ଗୋଟିଏ, ୫ଶହ ଜଣଙ୍କ ନିମନ୍ତେ ସଂସ୍କୃତ ମଣ୍ଡପ-ଗୋଟିଏ ।

Jagannath Heritage Corridor plan
                                                                                                       @theUnfading

ଐତିହ୍ୟ କରିଡରର ପୂର୍ବ ପାର୍ଶ୍ବରେ ବିଶାଳ ଖୋଲା ସ୍ଥାନ ରହିବ । ଏହା ମଧ୍ୟରେ ମହାପ୍ରଭୁଙ୍କ ରଥଯାତ୍ରାଠୁ ନେଇ ବିଭିନ୍ନ ପର୍ବପର୍ବାଣୀ ସ୍ବଚ୍ଛନ୍ଦରେ ଆୟୋଜନ କରାଯାଇପାରିବ । ଫଳ ସ୍ବରୂପ ବହୁ ସଂଖ୍ୟାରେ ଭକ୍ତ ଏହା ମଧ୍ୟରେ ଉପସ୍ଥିତ ରହି ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ଉତ୍ସବ ଓ ଯାତ୍ରା ସୁବିଧାରେ ଦେଖିପାରିବେ ।  ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଏ ହେଉଛି ରାଜ୍ୟ ସରକାରଙ୍କ ପ୍ରୟାସ । ଐତିହ୍ୟ କରିଡରରେ ଭକ୍ତ ପାଇବେ ଆନନ୍ଦ ଓ ଶାନ୍ତିମୟ ପରିବେଶ । ଜଗନ୍ନାଥଧାମ ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କର୍ଯ୍ୟକାରୀ ହେଉଥିବା “ଶ୍ରୀଜଗନ୍ନାଥ ଐତିହ୍ୟ କରିଡର”  ଓଡ଼ିଶା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧହୋଇ ରହିବ ।