ଶକ୍ତି ଉପାସନାର ପ୍ରମୁଖ ସ୍ଥଳ – ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକା

ପ୍ରମୁଖ ଶକ୍ତିପୀଠମାନଙ୍କ ମଧ୍ୟରେ ସ୍ୱତନ୍ତ୍ରତା ବହନ କରୁଥିବା କଟକ ବାଙ୍କୀର ଚର୍ଚ୍ଚିକା ପୀଠ । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକା କାହୁଁ କେଉଁ ଆବାହମାନ କାଳରୁ ଓଡ଼ିଶାର ମହାନଦୀ କୂଳରେ ଅବସ୍ଥିତ ।  

492

ଓଡ଼ିଶାର ଶାକ୍ତ  ପରମ୍ପରା ବହୁ ପ୍ରାଚୀନ ହୋଇଥିବାବେଳେ ଏହାର କିମ୍ବଦନ୍ତୀ ମଧ୍ୟ ସ୍ୱତନ୍ତ୍ରତା ବହନ କରିଥାଏ । ଓଡ଼ିଶାର କୋଣ ଅନୁକୋଣରେ ଥିବା ପ୍ରମୁଖ ଶକ୍ତିପୀଠ ଗୁଡିକରେ ବର୍ଷ ସାରା ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । ପ୍ରମୁଖ ଶକ୍ତିପୀଠମାନଙ୍କ ମଧ୍ୟରେ ସ୍ୱତନ୍ତ୍ରତା ବହନ କରୁଥିବା କଟକ ବାଙ୍କୀର ଚର୍ଚ୍ଚିକା ପୀଠ ଯେତିକି ରହସ୍ୟମୟ, ସେତିକି ପ୍ରାଚୀନ । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକା କାହୁଁ କେଉଁ ଆବାହମାନ କାଳରୁ ଓଡ଼ିଶାର ମହାନଦୀ କୂଳରେ ଅବସ୍ଥିତ । ମା’ ଚର୍ଚ୍ଚିକାଙ୍କ ପୀଠରେ ଝାମୁଯାତ୍ରା, ଦୁର୍ଗା ପୂଜା, କୁମାର ପୂର୍ଣ୍ଣିମା, ବାସନ୍ତୀ ପୂଜା, ଦୋଳ ଯାତ୍ରା, ଚନ୍ଦନ ଯାତ୍ରା ଭଳି 12 ମାସରେ ବିଭିନ୍ନ ଉତ୍ସବ ପାଳିତ ହୁଏ । ଦଶହରା ମହାଷ୍ଟମୀରେ ସମୟରେ  ମା’ ଚର୍ଚ୍ଚିକା ୧୦୮ ମୁଣ୍ଡ ମାଳରେ ସଜ୍ଜିତ ହୋଇ ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ସେହିପରି କୁମାରୀପୂର୍ଣ୍ଣିମା ଦିନ ମା’ଙ୍କ କୁମାରୀ ବେଶ ଅନୁଷ୍ଠିତ ହୁଏ ପୀଠରେ  । ମା’ଙ୍କର ଏହି ବେଶ ବର୍ଷରେ ଥରେ ହୋଇଥାଏ। ସେଥିପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପୀଠକୁ ଆସି ମା’ଙ୍କୁ ଦର୍ଶନ କରିଥିଲେ । ମା’ଙ୍କର ଏହି  କୁମାରୀ ବେଶ ଦର୍ଶନ କଲେ କୁମାରୀ ଝିଅମାନଙ୍କର ମାନସିକ ପୂରଣ ହେଇଥାଏ ବୋଲି ବିଶ୍ୱାସ ରହିଛି ।

Maa Charchika Temple Shakti Peetha, Banki, Odisha

କିମ୍ବଦନ୍ତୀ ଅନୁଯାୟୀ, ଦେବୀ ଦୁର୍ଗା ମହିଷାସୁରକୁ ବଧ କରିବା ପରେ ମହିଷାସୁର ଅନୁଗାମୀ ରଣାସୁର ପୃଥିବୀ ପୃଷ୍ଠରେ ଅତ୍ୟାଚାର ଏବଂ ଆତଙ୍କ ସୃଷ୍ଟି କରିଥିଲା । ଦେବୀ ଦୁର୍ଗାଙ୍କ ଅଂଶ ସ୍ୱରୂପ ଦେବୀ ଚର୍ଚ୍ଚିକା ଆର୍ବିଭୁତା ହୋଇ ରଣାସୁରର ବଧ କିରବା ସହିତ ସଂସାରକୁ ପାପରୁ ମୁକ୍ତି ଦେଇଥିଲେ । ସେହିଦିନଠାରୁ ଦେବୀ ବାଙ୍କୀର ଋଚିକ ପାହାଡ ଉପରେ  ପୂଜା ପାଇ ଆସୁଛନ୍ତି । ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ, ବିଷ୍ଣୁଙ୍କ ଷଷ୍ଠ ଅବତାର ଭଗବାନ ପର୍ଶୁରାମ ଋଚିକ ପାହାଡର ଅବସ୍ଥାନ ସମୟରେ ଦେବୀ ଚର୍ଚ୍ଚିକାଙ୍କ ମୂର୍ତ୍ତିକୁ ଶରମୂନରେ ଆଙ୍କି ପୂଜା କରିଆସୁଥିଲେ । ସେହି ଦିନଠାରୁ ଦେବୀ ଚର୍ଚ୍ଚିକା ଋଚିକ ପାହାଡରେ କାଳକ୍ରମେ ପୂଜା ପାଇ ଆସୁଥିବା ବେଳେ ଋଚିକ ପାହାଡକୁ କେହି କେହି ” ପର୍ଶୁରାମ ପୀଠ “ଭାବେ ଅବତାରଣା କରିଥାନ୍ତି । ମାଁ ଙ୍କ ଆବିର୍ଭାବକୁ ନେଇ ଅନେକ ରହସ୍ୟ ରହିଛି ।

Maa Charchika Temple Shakti Peetha, Banki, Odisha

ମା’ଙ୍କ ମନ୍ଦିର ପରିସରରେ ଶୈବ ମନ୍ଦିର , ମଙ୍ଗଳା ମନ୍ଦିର, ସନ୍ତୋଷି ଦେବୀ ମନ୍ଦିର, ରଘୁନାଥ ମନ୍ଦିର ,ଜଗନ୍ନାଥ ମନ୍ଦିର ରହିଛି । ମା’ଙ୍କ ମନ୍ଦିର ପାରିପାର୍ଶ୍ଵିକ ସୌନ୍ଦର୍ଯ୍ୟତା ମନ୍ଦିରର ଶୋଭାକୁ ଦ୍ୱିଗୁଣିତ କରିଥାଏ । ପୀଠ ଉପରୁ ମହାନଦୀର ଏବଂ ବିସ୍ତିର୍ଣ୍ଣ ବାଲୁକାରାଶି ପ୍ରତିୟମାନ ହେଉଥିବାବେଳେ ଦୂର ନୀଳ ଆକାଶରେ ସୁଉଚ୍ଚ ମହାପର୍ବତ ଏବଂ ବଡମ୍ବା ଅଞ୍ଚଳର କୁମ୍ଭାରଙ୍ଗା ମୁଣ୍ଡିଆ ଶ୍ରଦ୍ଧାଳୁମାନଙ୍କୁ ବାଙ୍କୀର ଚର୍ଚ୍ଚିକା ପୀଠ ଆସିବା ପାଇଁ ଆକର୍ଷିତ କରେ । ମା’ଙ୍କ ମହିମା ଅନୁଯାୟୀ ପୀଠରେ ଦୁଇଗୋଟି ସମ୍ପୂର୍ଣ୍ଣ କାଷ୍ଠ ନିର୍ମିତ ମଣ୍ଡପ ନିର୍ମିତ ହୋଇଥିବା ବେଳେ ଏହାକୁ “ଶୂନ୍ୟବହିନୀ” ମଣ୍ଡପ କୁହାଯାଏ ।

Maa Charchika Temple Shakti Peetha, Banki, Odisha
@boomshankar_

ଦେବୀ ଚର୍ଚ୍ଚିକାଙ୍କ ଗଢ଼ଣ ମଧ୍ୟ ଅନ୍ୟ ଦେବୀ ପୀଠ ଠାରୁ ସ୍ୱତନ୍ତ୍ର । ନାରୀ ଜାତିକୁ ସମ୍ମାନ ଦେଇ ଆସୁଥିବା ଉତ୍କଳୀୟ ପରମ୍ପରାରେ ଠାକୁରାଣୀଙ୍କ ପ୍ରସ୍ଥର ମୂର୍ତ୍ତିର ନିର୍ମାଣ ଶୈଳୀ ଭିନ୍ନ ରହିଥିବା ଦେଖିବାକୁ ମିଳିଥାଏ । ଦେବୀ ଚର୍ଚ୍ଚିକାଙ୍କ ପ୍ରସ୍ଥର ମୂର୍ତ୍ତି ସମ୍ପୂର୍ଣ୍ଣ ଉଲଗ୍ନା, ଶବରୂଢ଼ା, ବକ୍ଷଦେଶରେ ନରମୁଣ୍ଡମାଳା , ଅଷ୍ଟଭୂଜା, ଚାମୁଣ୍ଡା । ଦକ୍ଷୀଣହସ୍ତ ଚାରୋଟିରେ ଖଡ୍ଗ , ତ୍ରିଶୂଳ, ସର୍ପ ଓ ଅଙ୍କୁଶ ଧରିଥିବାବେଳେ ବାମ ହସ୍ତ ଚାରୋଟିରେ କଟାମୁଣ୍ଡ, ଡମ୍ବୁର, ଅନ୍ୟଏକ ହସ୍ତର କନିଷ୍ଠା ଆଙ୍ଗୁଳିକୁ ଦାନ୍ତରେ କାମୁଡି ଧରିଥିବାବେଳେ ଶେଷ ହସ୍ତରେ ଛିନ୍ନମସ୍ତକ ଧାରଣ କରିଥିବା ଜଣଯାଇଥାଏ । ମା’ଚର୍ଚ୍ଚିକାଙ୍କ ବିଶେଷ ପର୍ବ ମଧ୍ୟରେ ଅଶ୍ୱିନ ମାସରେ ପଡୁଥିବା ଶରଦୀୟ ପୂଜା ବା ଷୋଳପୂଜା ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ମହାଷ୍ଟମୀ ଦିନ ମହାପଶୁ ଅର୍ପଣ ପରେ ସମାପ୍ତ ହୋଇଥାଏ । ଷୋଳଦିନରେ ଷୋଳପ୍ରକାର ବେଶ କରାଯାଉଥିବା ବେଳେ ମୂଳାଷ୍ଟମୀ ଦିନ ରାଜଗୁରୁ ରାଜନଅର ଯାଇ ଶାରଦୀୟ ପୂଜା ପାଇଁ ରାଜାଙ୍କ ଠାରୁ ସଂକଳ୍ପ କରାଇଥାନ୍ତି । ପରେ ମନ୍ଦିର ଆସି ଏକ କଳସ ଧାନ ଦେଇ ସ୍ଥାପନ କରାଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଶାରଦୀୟ ପୂଜା ଅବସରରେ ପ୍ରାତଃ ଏବଂ ସନ୍ଧ୍ୟାଆଳତୀ ପରେ ଦିନକୁ ଦୁଇଥର ମାର୍ଜନା  କରାଯାଇଥାଏ ମାଁ ଙ୍କର  ।