ପବିତ୍ର ଶୀତଳ ଷଷ୍ଠୀ: ଏକ ନିଆରା ଉତ୍ସବ

ଶୀତଳତାର ସଂକେତ ବହନ କରୁଥିବା ଶିବ-ପାର୍ବତୀଙ୍କ ବିବାହ ଉତ୍ସବକୁ ‘ଶୀତଳ ଷଷ୍ଠୀ’ କୁହାଯାଏ। ସମ୍ବଲପୁରରେ ଶୀତଳ ଷଷ୍ଠୀ ସମ୍ଭବତଃ ୪୦୦ ବର୍ଷ ତଳେ ଆରମ୍ଭ ହୋଇଥିବା ବେଳେ ବରପାଲିରେ ଏହାର ଉତ୍ପତ୍ତି ହୋଇଥିବା ସୂଚନା ରହିଛି ।

374

ଓଡ଼ିଶା ଏକ ଶୈବ ଧର୍ମର ପ୍ରାଚୀନ ପୀଠ। ଶିବ ମନ୍ଦିରର ସୌନ୍ଦର୍ଯ୍ୟରେ ଏ ମାଟି ଭରପୂର। ଶିବ ହେଉଛନ୍ତି, ରୌଦ୍ରର ପ୍ରତୀକ ଏବଂ  ପାର୍ବତୀ ହେଉଛନ୍ତି, ଅଭୟଦାୟିନୀ, ଶକ୍ତି ଦାୟିନୀ ଓ ଶାନ୍ତି ପ୍ରଦାୟିନୀ । ଉଭୟଙ୍କ ମହା ମିଳନରେ ଧରାପୃଷ୍ଠ ହୁଏ ଶାନ୍ତି, ସ୍ନିଗ୍ଧ ଓ ପବିତ୍ର । ତେବେ ଶୀତଳତାର ସଂକେତ ବହନ କରୁଥିବା ଶିବ-ପାର୍ବତୀଙ୍କ ବିବାହ ଉତ୍ସବକୁ ‘ଶୀତଳ ଷଷ୍ଠୀ’ କୁହାଯାଏ। ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳ ଷଷ୍ଠୀ ବେଳକୁ ମେଘମହ୍ଲାର ଆକାଶର ଅପରୂପ ସୌନ୍ଦର୍ଯ୍ୟ ସାଙ୍ଗକୁ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟି କରିଥାଏ । ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ଶିବ ପାର୍ବତୀଙ୍କର ବିବାହ ଉତ୍ସବ ଏବଂ ତା’ପର ଦିନ ପାଳନ ହୁଏ ଶୀତଳ ଷଷ୍ଠୀ ଯାତ୍ରା ।

The festival of Sital Sasthi
@odiajagat

ଶୀତଳ ଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେସିତ । ପ୍ରକୃତି ସହିତ ଏହାର ସଂପର୍କ ଅତି ନିବିଡ଼ ରହିଛି  । ଓଡ଼ିଶାର ବିଭିନ୍ନ ଶୈବ ପୀଠଗୁଡ଼ିକରେ ଶିବ ବିବାହ ଉତ୍ସବ ନିରାଡ଼ମ୍ୱର ଭାବରେ ପାଳନ କରାଯାଉଥିବା ବେଳେ, ପଶ୍ଚିମ ଓଡ଼ିଶାର ସମ୍ୱଲପୁର, ବରପାଲି, ବଲାଙ୍ଗୀର, ବରଗଡ଼, ଘେଁସ, ସୁନ୍ଦରଗଡ଼, କଣ୍ଟାବାଞ୍ଜି ଓ ଭବାନୀପାଟଣା ଆଦି ସହରଗୁଡ଼ିକରେ ଆଡ଼ମ୍ୱରପୂର୍ଣ୍ଣ ଭାବରେ ପାଳିତ ହୋଇଥାଏ। ଶୀତଳ ଷଷ୍ଠୀ ହେଉଛି ବରଗଡ଼ର ଛୋଟ ସହର ବାରପାଲିର ମୁଖ୍ୟ ଧାର୍ମିକ ପର୍ବ । ସମ୍ବଲପୁରରେ ଶୀତଳ ଷଷ୍ଠୀ ସମ୍ଭବତଃ ୪୦୦ ବର୍ଷ ତଳେ ଆରମ୍ଭ ହୋଇଥିବା ବେଳେ ବରପାଲିରେ ଏହାର ଉତ୍ପତ୍ତି ହୋଇଥିବା ସୂଚନା ରହିଛି । ଏହା ପ୍ରଥମେ ବାରପାଲିର  ରାଜା ୧୮୭୭ ମସିହାରେ ନୃପପରାଜ ସିଂ ଜମିଦାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୂଚନା ମିଳିଛି  ।

The festival of Sital Sasthi

ପଶ୍ଚିମ ଓଡ଼ିଶାର ବିଭିନ୍ନ ଛୋଟ ବଡ଼ ଗାଁ, ସହର ଗୁଡ଼ିକରେ ଶୀତଳ ଷଷ୍ଠୀ ପର୍ବ ପାଳିତ ହେଉଥିଲେ ମଧ୍ୟ ସମ୍ୱଲପୁର, ବରପାଲି ଓ ବଲାଙ୍ଗୀର ଶୀତଳ ଷଷ୍ଠୀ ଯାତ୍ରା ପ୍ରସିଦ୍ଧି ଲାଭ କରିବା ସହିତ ଏହାର ସ୍ୱାତନ୍ତ୍ର୍ୟ ରହିଛି । ଶୀତଳ ଷଷ୍ଠୀ ଯାତ୍ରାର  ଅବଧି ପ୍ରାୟତଃ ମାସାଧିକ କାଳ। ପବିତ୍ର ଅକ୍ଷୟ ତୃତୀୟଠାରୁ ଏହା ଆରମ୍ଭ ହୋଇ ଜ୍ୟେଷ୍ଠ ଶୁକ୍ଳ ପକ୍ଷ ସପ୍ତମୀ ଦିନ ଶେଷ ହୋଇଥାଏ । ଅକ୍ଷୟ ତୃତୀୟା ଦିନ ଥାଳ ଉଠେ ଯେଉଁଦିନ କି  ପଡ଼ାର ମୁରବୀମାନେ ଏକତ୍ରିତ ହୋଇଥା’ନ୍ତି । ଆଉ ଯାତ୍ରାର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥା’ନ୍ତି । ଏହି ଯାତ୍ରାରେ ଅନେକ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଯେମିତିକି , ଥାଳ ଉଠା, ପତର୍ ପେଣ୍ଡି, ଗୁଆଗୁଣ୍ଡା ,ଗଁଠଲା ହିଟା ,କନ୍ୟା ଆଗମନ , ବରାତ , ବିବାହ ,କନ୍ୟାବିଦାୟ , ମନ୍ଦିର ପ୍ରବେଶ ଇତ୍ୟାଦି ।

The festival of Sital Sasthi
@Rotaract_3262

ଆମ ଦୈନନ୍ଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ, ଠିକ୍ ସେହିପରି ବୈଦିକ ରୀତିରେ ଶିବଙ୍କ ସହିତ ମାତା ସତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ। ହିନ୍ଦୁ ରୀତିନୀତି ଅନୁସାରେ କନ୍ୟା ଅନ୍ୱେଷଣ, ନିର୍ବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ, ମହା ଆଡ଼ମ୍ବରରେ ବରଯାତ୍ରୀ ଆଗମନ, ବୈଦିକ ରୀତିରେ ବେଦିରେ ଦେବଦମ୍ପତିଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟା ଦାନ ଓ ଯାନି ଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଏ। କିଛି ଭକ୍ତ ମା’ ପାର୍ବତୀଙ୍କ ମା’ ବାପା ହୁଅନ୍ତି ଓ ଆଉ କିଛି ଭକ୍ତ ପ୍ରଭୁ ଶିବ ଶଙ୍କରଙ୍କର ମା’ ବାପା ହୋଇ ଉଭୟଙ୍କର ବିବାହ କାର୍ଯ୍ୟ ସମ୍ପର୍ଣ୍ଣ କରନ୍ତି। ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କୁ ବରଯାତ୍ରୀଙ୍କ ସହିତ ବଡ଼ ଧୂମଧାମରେ ମାତା ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ। ରଙ୍ଗବେରଙ୍ଗ ଚିତ୍ରରେ ସୁଶୋଭିତ ରଥରେ ଶିବ ଓ ମା’ ପାର୍ବତୀଙ୍କୁ ଅଣାଯାଏ। ମଧ୍ୟରାତ୍ରୀରୁ ଏଇ ପଟୁଆର ଆରମ୍ଭ ହୋଇ ପରଦିନ ଦ୍ୱିପ୍ରହର ବେଳକୁ ଶିବ ପାର୍ବତୀଙ୍କ ପୂଜାରେ ଶେଷହୁଏ। ପୁରୀ ଲୋକନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଏବଂ ସମ୍ବଲପୁରର ଶିବମନ୍ଦିର ମାନଙ୍କରେ ଶୀତଳ ଷଷ୍ଠୀ ଉତ୍ସବ ବହୁ ଜାକଜମକରେ ପାଳନ କରାଯାଏ। ସମ୍ବଲପୁରରେ ଏଇ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ସଙ୍ଗୀତ ଓ ନାଚ। ଏହା ସମ୍ବଲପୁର, ବିଶେଷକରି ପଶ୍ଚିମ ଓଡ଼ିଶାର ଲୋକନୃତ୍ୟକୁ ଉପଭୋଗ କରିବାରେ ଏକ ଦୁର୍ଲଭ ଅବସର।