ନୟାଗଡ ଜିଲ୍ଲା ରଣପୁର ଅନ୍ତର୍ଗତ ପ୍ରସିଦ୍ଧ ମଣିନାଗ ମନ୍ଦିର

ନୟାଗଡ ଜିଲ୍ଲା ରଣପୁର ଅନ୍ତର୍ଗତ ମଣିନାଗ ମନ୍ଦିର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ । ମଣିନାଗ ମନ୍ଦିରରେ ଯେଉଁ ମୂର୍ତ୍ତିଗୁଡିକ ଅଛନ୍ତି ସେମାନେ ହେଲେ ଜୟଦୁର୍ଗା, ଉଗ୍ରତାରା ଏବଂ ନାରାୟଣୀ । ପାଶ୍ୱର୍ଦେବୀ ଭାବେ ଦକ୍ଷିଣରେ ବାରାହୀ, ପଶ୍ଚିମରେ ନାରସିଂହୀ ଓ ଉତ୍ତରରେ ଚାମୁଣ୍ଡା ମୂର୍ତ୍ତି ଓ ପୂର୍ବ ଦିଗରେ ଦ୍ୱାରପାଳ ଭାବେ ବ୍ୟାଘ୍ରମୁଖୀ, ସିଂହମୁଖୀ, ଗଙ୍ଗା ଓ ଯମୁନା ମୂର୍ତ୍ତି ଅଛନ୍ତି ।

337

ନୟାଗଡ ଜିଲ୍ଲା ରଣପୁର ଅନ୍ତର୍ଗତ ମଣିନାଗ ମନ୍ଦିର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ । ଏହି ମଣିନାଗ ମନ୍ଦିରରେ ଦେବୀଙ୍କ ନିକଟରେ ନରବଳି ଦେବା ପ୍ରଥା ପ୍ରଚଳିତ ଥିଲା । ଏକଦା ଏହା ଥିଲା ତନ୍ତ୍ର ପୀଠ । ଏଠାରେ ମାଘ ମାସରେ ନରବଳି ଦିଆଯାଉଥିଲା । ୧୯୩୯ ମସିହାଠାରୁ ଏହି ବଳିପ୍ରଥା ବନ୍ଦ ରହିଛି ଏଠାରେ । ଏହି ଉପର ମଣିନାଗ ମନ୍ଦିରରେ ଯେଉଁ ମୂର୍ତ୍ତିଗୁଡିକ ଅଛନ୍ତି ସେମାନେ ହେଲେ ଜୟଦୁର୍ଗା, ଉଗ୍ରତାରା ଏବଂ ନାରାୟଣୀ । ପାଶ୍ୱର୍ଦେବୀ ଭାବେ ଦକ୍ଷିଣରେ ବାରାହୀ, ପଶ୍ଚିମରେ ନାରସିଂହୀ ଓ ଉତ୍ତରରେ ଚାମୁଣ୍ଡା ମୂର୍ତ୍ତି ଓ ପୂର୍ବ ଦିଗରେ ଦ୍ୱାରପାଳ ଭାବେ ବ୍ୟାଘ୍ରମୁଖୀ, ସିଂହମୁଖୀ, ଗଙ୍ଗା ଓ ଯମୁନା ମୂର୍ତ୍ତି ଅଛନ୍ତି । ‘ଶ୍ରୀକ୍ଷେତ୍ର ମାହାତ୍ମ୍ୟ’ର ଅଷ୍ଟମ ଅଧ୍ୟାୟରେ ଶ୍ରୀକ୍ଷେତ୍ରଠାରୁ ଦଶଯୋଜନ ଦୂରରେ ଅବସ୍ଥିତ ମଣିନାଗ ପୀଠକୁ ମହାପ୍ରଭୁଙ୍କ ‘ଗୁପ୍ତକ୍ଷେତ୍ର’ ରୂପେ ବର୍ଣ୍ଣନା କରାଯାଇଛି । ପର୍ବତର ଦକ୍ଷିଣ ଦିଗରେ ଚଣ୍ଡୀଝର ନାମରେ ଏକ ଝରଣା ଅଛି । ପୂର୍ବେ ଏହାକୁ ଠାକୁରାଣୀ ଝର ବୋଲି କୁହାଯାଉଥିଲା । ତ୍ରେତୟା ଯୁଗରେ ବନବାସ କାଳରେ ସୀତା ଠାକୁରାଣୀ ଏଠାରେ ସ୍ନାନ କରିଥିଲେ ବୋଲି ଜନଶ୍ରୁତି ରହିଛି । ମଣିନାଗ ପର୍ବତମାଳା ଦୀର୍ଘ ଏକୋଇଶି କିଲୋମିଟର ଲମ୍ବି ରହିଛି । ଏହା ରଣପୁର ଗଡ଼ଠାରୁ ପଶ୍ଚିମ ଦିଗରେ ଚଉଦ କିଲୋମିଟର ଏବଂ ଦକ୍ଷିଣ ପଶ୍ଚିମ ଦିଗରେ ସାତ କି.ମି. ବ୍ୟାପୀ ରହିଛି । ପର୍ବତମାଳାର ଶିଖର ଦେଶରେ ସମୁଦ୍ର ପତ୍ତନର ୧୮୯୩ ଫୁଟ ଉଚ୍ଚରେ ମଣିନାଗ ଦୁର୍ଗାଙ୍କ ମନ୍ଦିର । ଏହାର ଅନ୍ୟ ଦୁଇଟି ଉଚ୍ଚଶୃଙ୍ଗ ‘ଟଗମରା’ ଓ ‘ଜରଜରି’ ସମୁଦ୍ର ପତ୍ତନ ଠାରୁ ଯଥାକ୍ରମେ ୨୦୪୯ ଫୁଟ ଓ ୨୦୭୮ ଫୁଟ ଉଚ୍ଚରେ ଅଛନ୍ତି ।

the-famous-ranpur-maninag-temple-in-nayagarh-district
                                                                                                     @AshiskumarRath7

ଏହି ଦୀର୍ଘ ପର୍ବତମାଳାର ପାହାଡ଼ଗୁଡିକ ସ୍ଥାନ ଅନୁଯାୟୀ ଭିନ୍ନ ଭିନ୍ନ ନାମରେ ଜନ ମୁଖରେ କଥିତ ହୁଅନ୍ତି । ଯଥା – ଧାନଘର, ଅଁଳା, ଶୁଳିଆ, କୋଟପୋଖରୀ, ମରିଚିଆ, ପାତିମୁଣ୍ଡିଆ, ଜହ୍ନାଥଳି, କୁଣ୍ଡାଖାଇ, ମନବୋଧିଆ, ବାଇଢଙ୍କିଆ, ମାଳତି ମୁଣ୍ଡିଆ, ଟୁବୁରି ମୁଣ୍ଡିଆ ଓ ପାଣ୍ଡବ ପାହାଡ଼ ଆଦି । ଏହି ପର୍ବତମାଳାରେ ଅନେକ ଝର ଝରଣା ଆଦି ରହିଛି । ସେଗୁଡିକ ହେଲା ଅଶ୍ରୁକୁମାରୀ ବା ଅସୁରକୁମାରୀ ଝର, ବାଘ କୋରଡ ଝର, ବଘେଇ ଝର, ଟଭା ଝର, ଅଶୋକ ଝର, ଆମ୍ବ ଝର, ଚଣ୍ଡୀ ଝର ଆଦି । ଏହି ଝରଗୁଡିକ ପର୍ବତର ବିଭିନ୍ନ ସ୍ଥାନରୁ ପ୍ରବାହିତ ହେଉଛି । ଏସବୁ ମଧ୍ୟରୁ ଅଶ୍ରୁକୁମାରୀ ବା ଅସୁର କୁମାରୀ ଏକ ପ୍ରମୁଖ ଝରଣା ଅଟେ । ପର୍ବତର ଚାଳିଶ ଫୁଟ ଉଚ୍ଚରୁ, ତା’ ତଳ ପଚିଶ ଫୁଟ ଉଚ୍ଚରୁ ଏବଂ ଶେଷରେ ଦଶଫୁଟ ଉଚ୍ଚରେ ଝର ଜଳ ସର୍ବଦା ନିର୍ଗତ ହୋଇଥାଏ । ବର୍ଷାଦିନେ ଉପର ତଳ ହୋଇ ତିନୋଟି ସ୍ଥାନରୁ ଏକ ସିଧା ସରଳ ଧାରାରେ ଜଳ ପ୍ରବାହର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର । ଏହି ଜଳ ପ୍ରପାତ ତଳେ ପାଖକୁ ଲାଗି ଅସୁରକୁମାରୀ ଠାକୁରାଣୀଙ୍କ ମନ୍ଦିର ରହିଛି ।

the-famous-ranpur-maninag-temple-in-nayagarh-district
                                                                                                                                  @k_dimp

ମଣିନାଗ ଦୁର୍ଗାଙ୍କ ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ଦଶହରାର ଷୋଳଦିନ ପର୍ବ ହେଉଛି ବଡ ପର୍ବ । ଆଶ୍ୱିନ ମାସ ଦି୍ୱତୀୟା ଓଷାଠାରୁ ଏହି ଷୋଳ ପୂଜା ଆରମ୍ଭ ହୋଇ ନବମୀ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଦଶହରା ଦିନ ପୂଜା ଉଦ୍‌ଯାପିତ ହୁଏ । ଦଶହରା ଦିନ ସାତଥର ତୋପଧ୍ୱନି କରାଯାଏ । ତୋପଧ୍ୱନି ଶୁଣିବା ପରେ ଲୋକେ ଶୁଭ ଅନୁକୂଳ କରିଥା’ନ୍ତି । ରଣପୁର ଗଡ଼ର ପଞ୍ଚୁଦୋଳ ଯାତ୍ରାରେ ମଣିନାଗ ଦୁର୍ଗା ଥାନାଧିପତି ହୋଇ ପୂଜା ପାଇଥା’ନ୍ତି । ଏଥିରେ ପୂର୍ବତନ ରଣପୁର ରାଜ୍ୟର ବିଭିନ୍ନ ଗ୍ରାମରୁ ୧୦୮ଟି ଦୋଳର ସମାଗମ ହୋଇଥାଏ । ଏହାବ୍ୟତୀତ ଅନ୍ୟାନ୍ୟ ପର୍ବ ମଧ୍ୟ ପାଳିତ ହୋଇଥାଏ । ପୁରାଣ ପ୍ରସିଦ୍ଧ ମଣିନାଗ ଏକଦା ପ୍ରସିଦ୍ଧ ଥିଲା ତନ୍ତ୍ରପୀଠ ରୂପେ । ଏହି ଦୁର୍ଗମ ପର୍ବତରେ ମା’ଙ୍କୁ ଅନେକ ଇତିହାସ ଓ କିଂବଦନ୍ତୀ ବିଜଡିତ । ପର୍ବତ ଉପରୁ ଏହି ସ୍ଥାନର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ ।

the-famous-ranpur-maninag-temple-in-nayagarh-district
                                                                                                                              @AshiskumarRath7

ପୂରାଣ ଅନୁଯାୟୀ , ଜଣେ ଅସୁର ଥିଲା ରଣାସୁର ଯାହା ଭୟରେ ଲୋକମାନେ ଥରହର ହେଉଥିଲେ । ସେ  ରଣପୁରର ମଣିନାଗ ପର୍ବତରେ ରାହୁଥିଲା  ।  ପ୍ରତିଦିନ ମହାନଦୀରେ ସ୍ନାନ କରି ମହାନଦୀ ଶରଣକୁଳରେ ଥିବା ଲଡୁବାବାଙ୍କୁ ଦର୍ଶନ କରୁଥିଲା । ସେ ହିଂସ୍ର ଥିବାରୁ  ମଣିଷ ସମେତ ପଶୁମାନଙ୍କୁ ମାରି ଖାଉଥିଲା । ତା’ ପ୍ରକୋପରୁ ରକ୍ଷା ପାଇବା ପାଇଁ ଲୋକମାନେ ଦେବୀ ଚର୍ଚ୍ଚିକାଙ୍କୁ ପ୍ରାର୍ଥନା କଲେ । ଦେବୀ ଚର୍ଚ୍ଚିକା ଲୋକମାନଙ୍କ ଡାକ ଶୁଣିଲେ ଓ ରଣାସୁରକୁ ବଧ କଲେ । ବାଙ୍କୀରେ ଥିବା ଚର୍ଚ୍ଚିକାଙ୍କ ଧ୍ୟାନ ମନ୍ତ୍ରରେ ଏହା ଉଲ୍ଲେଖ ରହିଛି । ରଣାସୁରର ରାଜ୍ୟକୁ କୁହାଯାଉଥିଲା ରଣାସୁରପୁର । ରଣାସୁରପୁରରୁ ରଣପୁର ନାମ କରଣ ହୋଇଛି ଏହି ସ୍ଥାନର । ରଣାସୁର ନିଧନ ହେବାପରେ ବିଶ୍ୱବାସବ ରଣପୁରର ରାଜା ହେଲେ । ସେତେବେଳେ ଏହି ରାଜ୍ୟର ସୀମା ଉତ୍ତରରେ ମହାନଦୀ, ପଶ୍ଚିମରେ କୁସୁମୀ ନଦୀ ଓ ବୌଦ୍ଧ ରାଜ୍ୟ, ଦକ୍ଷିଣରେ ଚିଲିକା ଓ ବାଣପୁର ରାଜ୍ୟ ଏବଂ ପୂର୍ବରେ ଦୟାନଦୀ ଥିଲା । ବିଶ୍ୱବାସବ ହେଉଛନ୍ତି ଶବର ରାଜା ବିଶ୍ୱାବସୁର ସାନଭାଇ ।

the-famous-ranpur-maninag-temple-in-nayagarh-district
                                    @k_dimp

କଣ୍ଟିଲୋ ଠାରେ ନୀଳମାଧବ ପୂଜା ପାଉଥିଲେ । ଶବର ବିଶ୍ୱାବସୁ ପ୍ରଭୁଙ୍କୁ ନୀଳକନ୍ଦରରେ ଗୋପନରେ ରଖି ପୂଜା କରୁଥିଲେ । ପ୍ରଭୁ ନୀଳମାଧବ ଦାରୁବ୍ରହ୍ମ ହୋଇ ଶ୍ରୀକ୍ଷେତ୍ରକୁ ଅନ୍ତର୍ହିତ ହୋଇଗଲେ । ଏଥିରେ ମର୍ମାହତ ହୋଇ ଭକ୍ତ ବିଶ୍ୱାବସୁ ଓ ତାଙ୍କ ଭାଇ ବିଶ୍ୱବାସବ ନୀଳମାଧବଙ୍କୁ ଧ୍ୟାନରେ କାତର ନିବେଦନ କଲେ । ଦେବତା ତାଙ୍କର ଗୁହାରି ଶୁଣିଲେ । ଦେବତାଙ୍କର ସ୍ୱପ୍ନାଦେଶ ହେଲା ଯେ ବିଶ୍ୱାବସୁ ଶ୍ରୀକ୍ଷେତ୍ରକୁ ଯାଇ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ପୂଜା ଅର୍ଚ୍ଚନା କରିବାର ସୁଯୋଗ ପାଇବେ । ଭାଇ ବିଶ୍ୱବାସବ ରଣାସୁରପୁରରେ ନୀଳମାଧବଙ୍କ ଆସ୍ଥାନ ଚକାଶିଳାକୁ ନେଇ ପୂଜା କରିବେ ଓ ସେଠାରେ ରାଜତ୍ୱ କରିବେ । ଏହି ଚକାଶିଳାରେ ବିଷ୍ଣୁ, ଶିବ ଓ ଦୁର୍ଗାଙ୍କର ବୀଜମନ୍ତ୍ର ଓ ଯନ୍ତ୍ର ଖୋଦିତ ହୋଇଥିଲା । ବିଶ୍ୱବାସବ ମଣିନାଗ ପର୍ବତ ଉପରେ ଚକାଶିଳାକୁ ରଖି ପୂଜା ଆରାଧନା କଲେ । ଏହି ରାଜବଂଶ ଖ୍ରୀ.ପୂ. ୧୭୨୭ ରୁ ରାଜତ୍ୱ ଆରମ୍ଭ କରିଥିବାରୁ ଆଜିକୁ ୩ ହଜାର ବର୍ଷ ପୂର୍ବରୁ ଚକାଶିଳା ମଣିନାଗ ପର୍ବତରେ ପୂଜା ହେଉଅଛି । ଏହାପରେ ସେହି ବଂଶର କୌଣସି ରାଜା ଚକାଶିଳା ଉପରେ ଦୁର୍ଗା ମୁର୍ତ୍ତି ରଖି ପୂଜା ଆରମ୍ଭ କଲେ । ଫଳରେ ଏହି ଚକାଶିଳାକୁ ଦୁର୍ଗାଶିଳା କୁହାଗଲା । ହଜାର ହଜାର ବର୍ଷ ପରେ ଚତୁର୍ଦ୍ଦଶ ଶତାବ୍ଦୀରେ ରାଜା ଉଦ୍ଧବ ନରେନ୍ଦ୍ର ଦେବୀଙ୍କ ପାଇଁ ମଣିନାଗ ପର୍ବତର ଶୀର୍ଷ ଦେଶରେ ମନ୍ଦିର ନିର୍ମାଣ କଲେ । ଏହି ମନ୍ଦିର ମଧ୍ୟରେ ଚକାଶିଳା ପାତାଳି ହୋଇ ରହିଥିବା କୁହାଯାଉଛି । ଅନ୍ୟ ଅର୍ଥରେ ଏହା ଏକ ଢାଙ୍କୁଣି ଦ୍ୱାରା ଆବଦ୍ଧ ହୋଇ ରହିଛି । ଉପର ମଣିନାଗ ମନ୍ଦିରରେ ରାଜା ବନମାଳୀ ସିଂହ ନରେନ୍ଦ୍ର (ଖ୍ରୀ. ଅ ୧୬୪୪-୧୬୭୫) ଙ୍କ ସ୍ୱହସ୍ତ ନିର୍ମିତ ଦୁର୍ଗାମୂର୍ତ୍ତି ପୂଜା ପାଉଥିଲା ।