ଶବର ପ୍ରେମର ପ୍ରତୀକ କୋରାପୁଟ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର “ଶାବର ଶ୍ରୀକ୍ଷେତ୍ର”
ଶାବର ଶ୍ରୀକ୍ଷେତ୍ର ୧୯୭୨ରେ ପଣ୍ଡିତ ସଦାଶିବ ରଥଶର୍ମାଙ୍କ ପୌରହିତ୍ୟରେ ମନ୍ଦିରଟି ପ୍ରତିଷ୍ଠା ହେଲା । ଶବରବଂଶଜ ତଥା କୋରାପୁଟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଭବ୍ୟ ମନ୍ଦିରର ନାମକରଣ ଶ୍ରୀଶର୍ମା ଦେଲେ ଶାବର ଶ୍ରୀକ୍ଷେତ୍ର ।
୧୯୬୯ ମସିହାରେ ନୀଳାଚଳଧାମ ପୁରୀରେ ଠାକୁରଙ୍କର ନବକଳେବର ହୋଇଥିଲା। ସେହି ସମୟରେ ବଳକା ଦାରୁକୁ ନେଇ ନିର୍ମିତ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତୀ ଓ ସ୍ଥାନିତ ହୋଇଥିଲେ ସୁଦୂର କୋରାପୁଟ ଜିଲ୍ଲାକୁ । ପ୍ରଥମେ ପୁରୁଣା ପିଚୁ ଟିଣରେ ୧୦×୧୦ ଫୁଟରେ ନିର୍ମିତ ହୋଇଥିଲା ଏକ ଗମ୍ବୁଜାକୃତି ମନ୍ଦିର । ପରେ ୧୯୭୨ରେ ପଣ୍ଡିତ ସଦାଶିବ ରଥଶର୍ମାଙ୍କ ପୌରହିତ୍ୟରେ ମନ୍ଦିରଟି ପ୍ରତିଷ୍ଠା ହେଲା । ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଶବରବଂଶଜ ତଥା କୋରାପୁଟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଭବ୍ୟ ମନ୍ଦିରର ନାମକରଣ ଶ୍ରୀଶର୍ମା ଦେଲେ ଶାବର ଶ୍ରୀକ୍ଷେତ୍ର । ୧୯୭୮ ମସିହାରେ ଶ୍ରୀଜଗନ୍ନାଥଙ୍କ ପାଇଁ ନିର୍ମିତ ହେଲା ଭବ୍ୟମନ୍ଦିର । ୧୯୭୮ ମସିହା ଜୁନ୍ ୯ ତାରିଖରେ ପୁନଶ୍ଚ ଗଜପତିଙ୍କ ଉପସ୍ଥିତିରେ ଚତୁର୍ଦ୍ଧାମୂର୍ତ୍ତି ସିଂହାସନାରୂଢ ହେଲେ । କାଳକ୍ରମେ ଶାବର ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ନିମିତ୍ତ, କାଶୀରେ ଦୀର୍ଘ ଦୁଇଶହ ବର୍ଷଧରି ପୂଜିତ ବାଣଲିଙ୍ଗଙ୍କୁ ଅଣାଯାଇ ଶ୍ରୀଶବରେଶ୍ବର ନାମରେ ଅଧିଷ୍ଠିତ ହେଲେ ।
ସମୟକ୍ରମେ ୧୯୭୭ ଅକ୍ଟୋବର ୨ ତାରିଖରେ ଶାବର ଶ୍ରୀକ୍ଷେତ୍ର ପରିଚାଳନା ନିମିତ୍ତ ନବ୍ୟକର୍ମକର୍ତ୍ତା ନିର୍ବାଚନ ହେଲା । ସେମାନେ ଶ୍ରୀଜଗନ୍ନାଥ ଚେତନାକୁ ଲୋକାଭିମୁଖୀ କରିବାରେ ସକ୍ଷମ ହେଲେ । ଫଳରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ମନ୍ଦିର ପ୍ରବେଶାଧିକାର ମିଳିଲା । ୧୯୭୨ ମସିହାରେ ଶାବର ଶ୍ରୀକ୍ଷେତ୍ରରେ ମନ୍ଦିର ପ୍ରଶାସନ ଦ୍ବାରା ରଥଯାତ୍ରା ଆରମ୍ଭ ହୋଇଥିଲା । ଏହି ଯାତ୍ରାରେ ପୁରୀ ଗଜପତି ରଥରେ ଛେରାପହଁରା କରିଥିଲେ । ଇତ୍ୟବସରେ, ଗଜପତି ଜଣେ ବୃଦ୍ଧ ଆଦିବାସୀଙ୍କୁ ରଥରେ ଛେରାପହଁରା କରିବା ନିମିତ୍ତ ନୂତନ ପରମ୍ପରା ସୃଷ୍ଟି କରିଥିଲେ ।
ଶ୍ରୀଜୀଉମାନଙ୍କୁ ଶ୍ରୀକ୍ଷେତ୍ର ପୁରୀ ଅନୁକରଣରେ ନିତ୍ୟ ନୈମିତ୍ତିକ ପୂଜା ବିଧି ପ୍ରଚଳିତ। ଶାବର ଶ୍ରୀକ୍ଷେତ୍ରର ନିର୍ମିତ ହୋଇଛି ଆନନ୍ଦବଜାର,ଶାବର ସଂସ୍କୃତି ଗବେଷଣା କେନ୍ଦ୍ର,ଶାବର ଶ୍ରୀକ୍ଷେତ୍ର ପତ୍ରିକା,ଶାବର ଶ୍ରୀକ୍ଷେତ୍ର ସମାଚାର ଯାହାକି ଶ୍ରୀଜଗନ୍ନାଥ ସଂସ୍କୃତିର ସାମ୍ୟ ଓ ମୈତ୍ରୀର ଜୟଗାନ କରେ । ୧୯୮୮ ଫେବୃଆରୀ ୨୫ ତାରିଖଠାରୁ ୨୯ ତାରିଖ ମଧ୍ୟରେ ଶାବର ଶ୍ରୀକ୍ଷେତ୍ର ପରିସୀମା ମଧ୍ୟରେ ପାର୍ଶ୍ବ ମନ୍ଦିର ସମୂହ ପ୍ରତିଷ୍ଠା ଲାଭ କରିଥିବା ସମସ୍ତ ଦେବାଦେବୀ ମନ୍ଦିର ସେଠାରେ ଦେଖିବାକୁ ମିଳେ। ଶ୍ରୀଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶର କମନୀୟ ମୂର୍ତ୍ତି ଶାବର ଶ୍ରୀକ୍ଷେତ୍ରକୁ କରିଛି ସରସ ଓ ସୁନ୍ଦର ।
ତେବେ ‘ଶାବର ଶ୍ରୀକ୍ଷେତ୍ର’ ଭାବରେ ପରିଚିତ ଏହି ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଜୀଉଙ୍କ ଆଦିପୂଜକ ସଉରାମାନଙ୍କ ଇଷ୍ଟଦେବ ମାଭାରତ୍ନମ୍’ଙ୍କ ପୀଠ ରହିଛି । ଶାବର ଶ୍ରୀକ୍ଷେତ୍ରର ଚକବନରେ ଏହି ପୀଠ ରହିଛି ଓ ଏଠାରେ ସ୍ୱତନ୍ତ୍ର ସଉରା ପରମ୍ପରାରେ ପୂଜା କରାଯାଏ । କୋରାପୁଟର ଜଗନ୍ନାଥ ମନ୍ଦିର ସାବର ଶ୍ରୀକ୍ଷେତ୍ର ନାମରେ ପରିଚିତ । ଏଠାରେ ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ପୂଜା ପାଆନ୍ତି କାଳିଆ ଠାକୁର । ସବୁଠାରୁ ବଡ କଥା ହେଉଛି ପ୍ରଥମେ ଶବରମାନେ ମହାପ୍ରଭୁଙ୍କ ମୁଖ୍ୟ ପୁଜା କରିବା ପରେ ପଣ୍ଡାମାନେ ପରବର୍ତୀ ଦାୟୀତ୍ୱ ତୁଲାଇଥାନ୍ତି । ଆଉ ଏଠାରେ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ଆଦିବାସୀ ସମ୍ପ୍ରଦାୟର ଦଇତାପତିମାନେ ସଂପାଦନ କରିଥାନ୍ତି ।
ଅଣସରରେ ହେଉ କିମ୍ବା ରଥଯାତ୍ରା ସମୟରେ ତିନି ଠାକୁରଙ୍କ ଗୁଣ୍ଡିଚା ମନ୍ଦିରରେ ଆସ୍ଥାନ ସମୟରେ ହେଉ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ । ପରମ୍ପରା ଅନୁସାରେ ସାବର ଶ୍ରୀକ୍ଷେତ୍ରରେ ପ୍ରଥମେ ଶବରମାନେ ଆଣି ଥିବା ଫୁଲ ଓ ଫଳ ମହାପ୍ରଭୁଙ୍କ ପାଖରେ ଲାଗି କରାଯାଏ । ପରେ ଅନ୍ୟ ଶ୍ରଦ୍ଧାଳୁଙ୍କ ଭୋଗ ପୂଜା କରିଥାନ୍ତି ପୂଜା ପଣ୍ଡା । ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିବା ପାଇଁ ଆନ୍ଧ୍ରପ୍ରଦେଶ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରୁ ଗମନାଗମନ ସୁବିଧା ମଧ୍ୟ ରହିଛି । କୋରାପୁଟ ସହରରେ ପହଞ୍ଚି ଯାତ୍ରୀ ରହିବା ପାଇଁ ସୁଲଭ ମୂଲ୍ୟରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଦ୍ଵାରା ନିର୍ମିତ ଅତିଥି ଭବନରେ ମଧ୍ୟ ରହିପରିବେ ।