ଓଡ଼ିଶାର ପ୍ରଥମ ସିନେମା ହଲ୍ “ଶ୍ରୀ ସୀତାରାମ ବିଳାସ (SSV) ଟକିଜ୍”

ଓଡ଼ିଶାର ପ୍ରଥମ ସିନେମା ହଲ୍ ଶ୍ରୀ ସୀତାରାମ ବିଳାସ (SSV) ଟକିଜ୍ । ୧୯୨୭ ମସିହାରେ ଧଳା ପରଦା ଟଣା ଯୁଗରେ ମୁଣ୍ଡ ଟେକିଥିଲା ଏହି ସିନେମା ହଲ୍ ।

384

ଓଡ଼ିଶା ପ୍ରାଚୀନ ସଭ୍ୟତା ତଥା ଐତିହ୍ୟ, ପରମ୍ପରାର ରାଜ୍ୟ । ଏହି ମାଟିରେ ସୃଷ୍ଟି ହୋଇଛି  ଅନେକ ବିରଳ କୀର୍ତ୍ତି । ଏଠାକାର କୋଣ ଅନୁକୋଣରେ ଭରି ରହିଛି ଅନେକ ଜଣା ଅଜଣା ସମ୍ପଦ । ବ୍ରହ୍ମପୁର ସହର ହେଉଛି ଯାହାକି ଓଡ଼ିଶାର ସଂସ୍କୃତିକ ତଥା ଐତିହାସିକ ପ୍ରାଣକେନ୍ଦ୍ର । ଏଇ ସହରର ଇତିହାସ ପୃଷ୍ଠାରୁ ଜଣା ପଡ଼େ ଏହି ଅଞ୍ଚଳରେ ଘଟିଥିବା ଅନନ୍ୟ ଘଟଣାବଳୀ ସମ୍ବନ୍ଧରେ । ନିଜର ସଂସ୍କୃତି ତଥା ପରମ୍ପରାକୁ ବଜାୟ ରଖିଥିବା ଏହି ଅଞ୍ଚଳ ସୃଷ୍ଟି କରିପାରିଛି ଅନେକ ଅଧ୍ୟାୟ । ଏହି ଅଞ୍ଚଳରେ ଦିନେ ଗଢ଼ିଉଠିଥିଲା ଓଡ଼ିଶାର ପ୍ରଥମ ସିନେମା ପ୍ରେକ୍ଷାଳୟ ରାମଲିଙ୍ଗମ୍ ଟେଙ୍କ ରୋଡ଼ ନିକଟରେ ।

First Cinema Hall of Odisha, SSVT in Berhampur City
@ajitmaharana_

ଓଡ଼ିଶାର ପ୍ରଥମ ସିନେମା ହଲ୍ ଶ୍ରୀ ସୀତାରାମ ବିଳାସ (SSV) ଟକିଜ୍ । ୧୯୨୭ ମସିହାରେ ଧଳା ପରଦା ଟଣା ଯୁଗରେ ଗଢି ଉଠିଥିଲା  ଏହି ସିନେମା ହଲ୍ ।  ୧୯ ଫେବୃଆରୀ ୧୯୧୧ ମସିହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାଡ୍ରାସର ଏକ ଇଞ୍ଜିନିୟରିଂ ସଂସ୍ଥା ଏହାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଏଥିରେ ଲାଗିଥିଲା  ଲଣ୍ଡନର ଧ୍ବନି ପ୍ରଣାଳୀ । ସିନେ ଜଗତରେ ଋଚି ରଖୁଥିବା ଶ୍ରୀ ଏ. ବି ଚେଟ୍ଟି ଏହି ସିନେମା ପ୍ରେକ୍ଷାଳୟ ନିର୍ମାଣ କରିଥିଲେ । ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଭୂକ୍ତ ଏହି ସ୍ଥାନ ହୋଇଉଠିଥିଲା ସିନେମା ପ୍ରେମୀଙ୍କ ଅତି ଆଦରର । ଶ୍ରୀ ଦାଦା ସାହେବ ଫାଲକେ ଙ୍କ ଦ୍ଵାରା ନିର୍ମିତ ଭାରତର ପ୍ରଥମ ନିର୍ବାକ ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର ଏହି ଠାରେ  ପ୍ରଦର୍ଶିତ ହୋଇଥିଲା । ଏହା ଛଡ଼ା ଅନେକ ତେଲୁଗୁ ଡ୍ରାମା ମଧ୍ୟ ମଞ୍ଚସ୍ଥ ହେଉଥିଲା । ଶ୍ରୀ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଙ୍କ ଦ୍ଵାରା ନିର୍ମିତ ପ୍ରଥମ ଓଡ଼ିଆ ସିନେମା ସୀତା ବିବାହ ହଲର ପ୍ରତିଷ୍ଠା ହେବାର ୭ ବର୍ଷ ପରେ ତଥା ସୀତାବିବାହ ରିଲିଜ ହେବାର ୫୬ ଦିନ ପରେ ଏଠାରେ ପ୍ରଦର୍ଶିତ ହୋଇଥିଲା ।

First Cinema Hall of Odisha, SSVT in Berhampur City
@Odisha_Stories

ପ୍ରଥମେ ଏକ ନଡ଼ା ଛପର ଘରେ ଚଟାଣରେ ସାଧାରଣ ଦର୍ଶକ ଏବଂ ପଛ ଧାଡ଼ିରେ ଧନୀକ ଶ୍ରେଣୀର ଲୋକଙ୍କ ପାଇଁ ପଡ଼ିଥିଲା କିଛି ଚଉକି ।ସେତେବେଳର ଓଡ଼ିଶା ସରକାରଙ୍କ ଆଇନ୍ ଅନୁଯାୟୀ ବର୍ଷକ ୯୦ ଦିନ ଓଡ଼ିଆ ସିନେମା ପ୍ରଦର୍ଶନ କରିବା ଥିଲା ବାଧ୍ୟତାମୂଳକ । ଏହା ଯୋଗୁଁ ଏଠାରେ ଅନେକ ଓଡ଼ିଆ, ତେଲୁଗୁ, ହିନ୍ଦୀ ତଥା କେତୋଟି ତାମିଲ ଭାଷାଭାଷୀ ସିନେମା ପ୍ରଦର୍ଶିତ ହୋଇଛି ଏବଂ ଏଠାରୁ ମିଳନ ତଥା ସଂପର୍କ ଯୋଡ଼ା ହୋଇଛି ଅନେକ ରାଜ୍ୟର ଭାଷାଭାଷୀଙ୍କ ମଧ୍ୟରେ ।

First Cinema Hall of Odisha, SSVT in Berhampur City
@Odisha_Stories

ଏହି ହଲର ମାଲିକ ଥିଲେ ଶ୍ରୀ ଭୂତିଆ ସେଠି ଏବଂ ସାଧାରଣ ଲୋକେ ଏହାକୁ ଭୂତିଆ ସେଠୀ ହଲ୍ ତଥା  ଭୂତିଆ ସେଠୀ  ପେଣ୍ଡାଲ ଭାବରେ ଜାଣିଥିଲେ । ଏଠାରେ ଚଳଚ୍ଚିତ୍ର ଦେଖିବା ପାଇଁ ଗାଁ ମାନଙ୍କରୁ ଲୋକେ ଶଗଡ଼ରେ ଆସୁଥିଲେ । ଏକଦା ଚାଳଘରେ ତେଲୁଗୁ ଡ୍ରାମା କୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରେକ୍ଷାଳୟରେ ଭାରତର ପ୍ରଥମ ନିର୍ବାକ ଚଳଚ୍ଚିତ୍ର “ରାଜା ହରିଶ୍ଚନ୍ଦ୍ର” ଏବଂ ଦେଶର ପ୍ରଥମ ସବାକ ଚଳଚ୍ଚିତ୍ର “ଆଲାମ୍ ଆରା” ପ୍ରଦର୍ଶିତ ହୋଇଥିଲା । କିଛି ବର୍ଷ ପୁରୁଣା ଜ୍ଞାନକୌଶଳରେ ଏହି ପ୍ରେକ୍ଷାଳୟ  ଚାଲିବା ପରେ ଏଠାରେ ଆଧୁନିକତାର ଛିଟା ଦେଖିବାକୁ ମିଳିଥିଲା ।  ନଡ଼ା ଛପର ଘରେ ସ୍ଥାନ ପାଇଥିଲା କଂକ୍ରିଟ ହଲ୍ ‌। ୧୦୦୦ ରୁ ୬୦୦ ଆସନ ମଧ୍ୟରେ ସୀମିତ ହେଲା ଆସନ ସଂଖ୍ୟା ଏବଂ ଯୋଗାଇଥିଲା ଅଧିକ ସୁବିଧା । ଅନ୍ୟାନ୍ୟ ସିନେମା ହଲ୍ ଭଳିଆ ଏଠାରେ ମଧ୍ୟ ଆଗ ଧାଡିର ବା ତୃତୀୟ ଶ୍ରେଣୀ ଟିକେଟ ମୂଲ୍ୟ ୫୦ ପଇସା, ମଝି ଧାଡ଼ି ବା ଦ୍ବିତୀୟ ଶ୍ରେଣୀ ଟିକଟର ମୂଲ୍ୟ ୭୫ ପଇସା ଏବଂ ଉପର ଧାଡ଼ିରେ ବା ପ୍ରଥମ ଶ୍ରେଣୀ ଟିକଟର ମୂଲ୍ୟ ଥିଲା ୧ ଟଙ୍କା ।