ଓଡ଼ିଶା ନିଜର ସଂସ୍କୃତି ପରମ୍ପରା ତଥା ଐତିହ୍ୟ ପାଇଁ ସାରା ଭାରତ ବର୍ଷରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହାର କୋଣ ଅନୁକୋଣ ଇତିହାସ ସହ ସଂଶ୍ଳିଷ୍ଟ ରହିଛି । ପଶ୍ଚିମ ଓଡ଼ିଶାର ମାଳଭୂମି, ପାହାଡ଼, ଜଙ୍ଗଲ, ନଦୀ, ଝରଣା, ମନ୍ଦିର ମାନଙ୍କର ଏକ ବିଶେଷ ଆକର୍ଷଣ ରହିଛି । ଓଡ଼ିଶାର ପ୍ରାଚୀନ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଯେ ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଏଥିରେ ସନ୍ଦେହ ନାହିଁ । ଏହ୍ଲାବାଦସ୍ଥିତ ପ୍ରୟାଗ ତୀର୍ଥରେ ଗଙ୍ଗା-ଯମୁନା-ସରସ୍ବତୀଙ୍କ ଭଳି ଏଠାରେ ମହାନଦୀ-ତେଲନଦୀ-କର୍ପୁର ନଦୀର ତ୍ରିବେଣୀ ସଙ୍ଗମ ଘଟିଛି । ଏଥିପାଇଁ ଏହାକୁ ସାକ୍ଷାତ ବାରଣାସୀ ତଥା ଭାରତର ଦ୍ଵିତୀୟ ପ୍ରୟାଗ କ୍ଷେତ୍ର ଭାବରେ ଅବିହିତ କରାଯାଇଛି । ମହର୍ଷି ଜାମଦଗ୍ନ ଏଠାରେ ମହାରୁଦ୍ର ଯଜ୍ଞ ଅନୁଷ୍ଠିତ କରିଥିବାରୁ ଏହାକୁ ପର୍ଶୁରାମଙ୍କ ଭୂମି ମଧ୍ୟ କୁହାଯାଏ ।

ସୁବର୍ଣ୍ଣପୁର ସହରରେ ଦେଖାଯାଏ ଅନେକ ଗୁଡ଼ିଏ ହନୁମାନ ମନ୍ଦିର । ଏକଦା ଏହା ଅଷ୍ଟ ଶମ୍ଭୁ, ଅଷ୍ଟ ଚଣ୍ଡୀ, ଅଷ୍ଟ ବିଷ୍ଣୁଙ୍କ ଭଳି ଅଷ୍ଟ ମହାବୀର ଙ୍କ ପୀଠ । ଏଠାରେ ଥିବା ଅଷ୍ଟ ମହାବୀରଙ୍କ ପୀଠ ମଧ୍ୟରୁ ଅନେକ କାଳର କରାଳ ଗର୍ଭରେ ଲୀନ ହୋଇସାରିଥିବା ବେଳେ ଆଉ କେତେକ ଅପେକ୍ଷା ରତ। ଏହି ଅଷ୍ଟ ମହାବୀରଙ୍କ ନାମକରଣ ତାଙ୍କର ଅବସ୍ଥିତିକୁ ନେଇ କରାଯାଇଛି ଯେପରି ବଡ଼ ହନୁମାନ, ଗଡ଼ ହନୁମାନ, ବାଟ ହନୁମାନ, ଘାଟ ହନୁମାନ, ଧାର ହନୁମାନ, ଝାର ହନୁମାନ, ଘର ହନୁମାନ ଓ ପର ହନୁମାନ । ସୁବର୍ଣ୍ଣପୁର ସହରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଖରେ ସହରର ଉଚ୍ଚତମ ହନୁମାନ ମନ୍ଦିର ରହିଛି । ଏହି ମନ୍ଦିର ସମ୍ମୁଖରେ ପୂର୍ବରୁ ସୈନ୍ୟ ସାମନ୍ତ ମାନେ ଯୁଦ୍ଧ ବିଦ୍ୟା ସାଧନ କରୁଥିଲେ ।

ସୁବର୍ଣ୍ଣପୁର ସହରର ଗଡ଼ ଭିତରେ ଏକ ହନୁମାନ ମନ୍ଦିର ରହିଛି । ଏହା ଗଡ଼ ଭିତରେ ଥିବାଯୋଗୁଁ ଏହାକୁ ଗଡ଼ ହନୁମାନ କହନ୍ତି । ଏହି ହନୁମାନ ସୁବର୍ଣ୍ଣପୁର ରାଜ ଦୁର୍ଗର ପୂର୍ବ ଦିଗରେ ଥିବା ଦ୍ଵାରରେ ଗଡର ରକ୍ଷା ପାଇଁ ଅଧିଷ୍ଠିତ ହୋଇଛନ୍ତି । ସୋନପୁର ସହରର ଅନତି ଦୂରରେ ସାତ ଗୋଟି ବନ୍ଧ ରହିଛି । ଏହି ବନ୍ଧ ନିକଟରେ ଏକ ହନୁମାନ ମନ୍ଦିର ରହିଛି ଯାହା ଘାଟ ହନୁମାନ ନାମରେ ନାମିତ । ପଶ୍ଚିମ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ବାଟ ହନୁମାନଙ୍କ ମନ୍ଦିର ଅବସ୍ଥିତ । ଦିଲବାହାଲିପୁର ଜଙ୍ଗଲରେ ଝାର ହନୁମାନଙ୍କ ମନ୍ଦିର ଅବସ୍ଥିତ । ସୁବର୍ଣ୍ଣପୁର ବା ସୋନପୁର ଏକ ତ୍ରିବେଣୀ ସଙ୍ଗମ ଭାବରେ ପରିଚିତ । ଏହି ମହାନଦୀ ଏବଂ ତେଲନଦୀର ସଙ୍ଗମ ସ୍ଥଳରେ ଧାର ହନୁମାନ ଶୋଭା ପାଉଛନ୍ତି । ସହର ବାହାରେ ତେଲ ନଦୀ କୂଳରେ ଗନ୍ଧଷଣ ମୁହାଣରେ ପର ହନୁମାନ ଅବସ୍ଥିତ । ସହରର ବାହାରେ ଥିବାରୁ ତାଙ୍କୁ ପର ହନୁମାନ କୁହାଯାଏ । ମହାନଦୀ ଏବଂ ତେଲନଦୀର ସଙ୍ଗମ ସ୍ଥଳରେ ଧାର ହନୁମାନ ଶୋଭା ପାଉଛନ୍ତି । ନଦୀ ମଧ୍ୟରେ ଥିବା ଚଟାଣକୁ କାଳେଶ୍ବର ଟାଙ୍ଗର ବୋଲି କୁହାଯାଏ । ଏହିପରି ଭାବେ ଏହି ଅଷ୍ଟ ମହାବୀର ଙ୍କ ନାମକରଣ ତାଙ୍କ ଅବସ୍ଥିତିକୁ ନେଇ କରାଯାଇଛି ।

ଏହି ସହରରେ ଭିନ୍ନ ପ୍ରକାରର ଲଙ୍କାପୋଡ଼ି ଯାତ୍ରା ହୋଇଥାଏ ଯାହା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ଏହା ଭାଦ୍ରପଦ ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି କଥାକୁ ମନେ ରଖିବା ପାଇଁ ଛୋଟ ପିଲାମାନେ ମାଟି ଏବଂ କାଠ ନିର୍ମିତ ବିଭିନ୍ନ ପ୍ରକାରର ହନୁମାନ ମୁର୍ତ୍ତି ର ଲାଞ୍ଜରେ ନିଆଁ ଲଗାଇ ସହର ପରିକ୍ରମା କରିଥାନ୍ତି । ଏହି ଅଷ୍ଟମହାବୀରଙ୍କ ପୀଠ ସୁବର୍ଣ୍ଣପୁର ସହରର କୀର୍ତ୍ତିରାଜି ତଥା ଐତିହ୍ୟ ବେଶ ମୋନରମ । ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ।