ସମ୍ବଲପୁର ସହରର ଆଉ ଏକ ପରିଚୟ ସରସତିଆ
ସମ୍ବଲପୁରକୁ ସହରକୁ ସ୍ବତନ୍ତ୍ର ପରିଚୟ ଦେଇଛି ତିନିକୋଣିଆ ମିଠା ସରସତିଆ । ଏହି ସରସତିଆ ତିଆରି ହୁଏ ଗଞ୍ଜେର ନାମକ ଏକ ଗଛର ଅଠାରୁ । ଏହି ମିଠା ତିଆରି କରିବା ସହଜ ଲାଗୁଥିଲେ ବି ଏହାକୁ ତିଆରି କରିବା ପାଇଁ ରହିଛି ସ୍ବତନ୍ତ୍ର କଳା ।
ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ସମ୍ବଲପୁର ସହର । ସମ୍ବଲପୁରୀ ବସ୍ତ୍ର ସାଙ୍ଗକୁ ଏହାର ଭାଷା, ସଂସ୍କୃତି ଏହାକୁ ଦେଇଛି ଭିନ୍ନ ଏକ ପରିଚୟ । ତେବେ ଏସମସ୍ତ ଜିନିଷ ସହ ସମ୍ବଲପୁରକୁ ସହରକୁ ସ୍ବତନ୍ତ୍ର ପରିଚୟ ଦେଇଛି ତିନିକୋଣିଆ ମିଠା ସରସତିଆ । ଗଞ୍ଜେର ନାମକ ଏକ ଗଛର ଅଠାରୁ ପ୍ରସ୍ତୁତ ହୁଏ ଏହି ମିଠା । ଜାଲ ଭଳି ଦିଶୁଥିବା ତିନିକୋଣିଆ ମିଠା ସରସତିଆ ନା କୌଣସି ଛେନା, କ୍ଷିର ନା ଅନ୍ୟ କୌଣସି ଫ୍ୟାଟ ଜାତୀୟ ଦ୍ରବ୍ୟ । ଏହି ସରସତିଆ ତିଆରି ହୁଏ ଗଞ୍ଜେର ନାମକ ଏକ ଗଛର ଅଠାରୁ । ଲୋକକଥା ଅନୁଯାୟୀ ଏହା ପ୍ରଥମ କରି ସରସ୍ବତୀ ପୂଜା ଦିନ ତିଆରି ହୋଇଥିବାରୁ ଏହାର ନାମ ‘ସରସତିଆ’ ହୋଇଥିବା କୁହାଯାଏ । ଏହି ମିଠା ତିଆରି କରିବା ସହଜ ଲାଗୁଥିଲେ ବି ଏହାକୁ ତିଆରି କରିବା ପାଇଁ ରହିଛି ସ୍ବତନ୍ତ୍ର କଳା । ଯେକେହି ଏହାକୁ ତିଆରି କରି ପାରନ୍ତି ନାହିଁ ।
ସମ୍ବଲପୁରର ସରସତିଆ ଏକ ନିଆରା ମିଷ୍ଟାନ୍ନ । ଏହା ଦେଖିବାକୁ ରୋଜ କୁକିଜ ପରି । ଏହା ଏକ କ୍ରିସ୍ପି ମିଠାଜାତୀୟ ଖାଦ୍ୟ । ଏହା ଦେଖିବାକୁ ଯେତିକି ସୁନ୍ଦର, ତାଠାରୁ ଅଧିକ ସୁଆଦିଆ ହେଉଛି ଏହାର ସ୍ୱାଦ । ସମ୍ବଲପୁରର ଏହି ସୁସ୍ୱାଦୁ ବ୍ୟଞ୍ଜନଟି ଏକପ୍ରକାର ଗଛର ଅଠାରେ ପ୍ରସ୍ତୁତ ହୁଏ । ଗଞ୍ଜେର ଗଛର କାଠିକୁ ରାତିସାରା ପାଣିରେ ବତୁରାଇ ସେଥିରୁ ଅଠା ସଂଗ୍ରହ କରି ଏଥିରେ ଚାଉଳ ଚୂନା ଓ ଅଳ୍ପ ଚିନି ଦେଇ ପ୍ରସ୍ତୁତ କରାଯାଇଥାଏ ଏହି ମିଠା । ଆଉ ଗଞ୍ଜେର ଗଛ ଅଠାରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହାକୁ ସମସ୍ତେ ଖାଇପାରିବେ ଏପରିକି ମଧୁମେହ ରୋଗୀ ମଧ୍ୟ ଏହାକୁ ଖାଇ ପାରିବେ ।
ଜଙ୍ଗଲରୁ ମିଳୁଥିବା ଏକ ଗଛ ଡ଼ାଳରୁ ଲାଳ ସଂଗ୍ରହ କରି ଚାଉଳ ଚୁନାରେ ମିଶାଇ ଏହାକୁ ପ୍ରସ୍ତୁତ କରାଯାଏ । ଖାଇବାକୁ ଏହା ବହୁତ ସ୍ୱାଦିଷ୍ଟ ହୋଇଥିବାବେଳେ ଲୋକଙ୍କ ପାଖରେ ଏହା ବେଶ ଆଦୃତି ଲାଭ କରିଛି । ସମ୍ବଲପୁର ଭିତରେ ଲୁକ୍କାଇତ ହୋଇ ରହିଥିବା ଏହି ମିଠା ଏବେ ଧୀରେ ଧୀରେ ଲୋକ ଲୋଚନକୁ ଆସିଲାଣି । ଏବେ ରାଜ୍ୟ ତଥା ରାଜ୍ୟ ବାହାର ଲୋକ ମଧ୍ୟ ଏହାକୁ ଖୁବ ପସନ୍ଦ କରୁଛନ୍ତି ।