ଜଙ୍ଗଲଜାତ ଖାଦ୍ୟ କରଡ଼ି; ଲୋକଙ୍କ ମଧ୍ୟରେ ରହିଛି ବଡ଼ ଚାହିଦା
୧୨ ମାସରେ ବିଭିନ୍ନ ଜଙ୍ଗଲିଜାତ ଦ୍ରବ୍ୟକୁ ସଂଗ୍ରହ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରୁଛନ୍ତି । ସେଥି ମଧ୍ୟରୁ ଆଦିବାସୀଙ୍କ ପ୍ରିୟ ଖାଦ୍ୟ ହେଉଛି ବାଉଁଶ କରଡ଼ି ।
ଆଦିବାସୀ ୧୨ ମାସରେ ବିଭିନ୍ନ ଜଙ୍ଗଲିଜାତ ଦ୍ରବ୍ୟକୁ ସଂଗ୍ରହ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରୁଛନ୍ତି । ସେଥି ମଧ୍ୟରୁ ଆଦିବାସୀଙ୍କ ପ୍ରିୟ ଖାଦ୍ୟ ହେଉଛି ବାଉଁଶ କରଡ଼ି । ଯାହାକୁ ବାଉଁଶ ଗଜା ବା କରଡି କୁହାଯାଏ । ବର୍ଷା ଋତୁରେ ବାଉଁଶ ଗଜା ବାହାରିଥାଏ । ଏହାକୁ ସଂଗ୍ରହ କରି ହାଟ ବଜାରରେ ବିକ୍ରି କରି ବେଶ ଦି ପଇସା ରୋଜଗାର କରିଥାନ୍ତି ଆଦିବାସୀ ଭାଇଭଉଣୀ ମାନେ । କରଡି ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ ହୋଇଥିବାରୁ ପ୍ରତିବର୍ଷ ବର୍ଷା ଋତୁରେ କରଡି ସଂଗ୍ରହ କରାଯାଇଥାଏ । ଆଦିବାସୀ ଭାଇମାନେ କରଡି ସଂଗ୍ରହ କରିବା ପରେ ନିଜେ ତାହାକୁ ଖାଦ୍ୟ ରୂପେ ଖାଇବା ପରେ ଯାହା ରହିଯାଏ ତାକୁ ହାଟ ବଜାରରେ ବିକ୍ରି କରନ୍ତି । କୋରାପୁଟ, ନବରଙ୍ଗପୁର ଏବଂ ପଶ୍ଚିମ ଓଡ଼ିଶାରେ ଏହାର ବ୍ୟବହାର ଅଧିକ ଦେଖିବାକୁ ମିଳିଥାଏ । ତେବେ ସାଧାରଣ ଲୋକ ମଧ୍ୟ ଏବେ ଏହି କରଡିକୁ ବେଶ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି । କରଡିରେ ସୁସ୍ବାଦୁ ତରକାରୀ ପ୍ରସ୍ତୁତ କରାଯାଇଥାଏ । ଏହାକୁ ଶୁଖାଇ ମଧ୍ୟ ବର୍ଷ ତମାମ ଆଦିବାସୀ ସମ୍ପ୍ରଦାୟକ ଲୋକେ ଖାଇଥାନ୍ତି । ତେବେ ରାଜ୍ୟର ଅତ୍ୟଧିକ ଆଦିବାସୀ ରହୁଥିବା ଜିଲ୍ଲା ମାନଙ୍କରେ କରଡିର ପସରା ଦେଖିବାକୁ ମିଳେ ।
ବର୍ଷା ଦିନରେ ପ୍ରଚୁର ପରିମାଣରେ କରଡ଼ି ବଜାରକୁ ବିକ୍ରି ପାଇଁ ଆସିଥାଏ । କାହିଁ କେଉଁ କାଳରୁ ଆଦିବାସୀ ବାଉଁଶ କରଡ଼ିକୁ ନିଜ ଖାଦ୍ୟ ଭାବେ ବ୍ୟବହାର କରିବା ସହ ବିକ୍ରି କରି ଆସୁଛି । ବିଶେଷ କରି ବର୍ଷା ଦିନରେ ଆଦିବାସୀଙ୍କ ପାଖରେ ଅନ୍ୟ ଖାଦ୍ୟ ସାମଗ୍ରୀ ମହଜୁଦ୍ ନଥିବାରୁ ଜଙ୍ଗଲରେ ଥିବା ବାଉଁଶ ବଣରୁ ନୂଆ କରି ଗଜା ହେଉଥିବା ଗଛକୁ କାଟି କରଡ଼ି ବାହାର କରିଥାନ୍ତି । ପ୍ରଥମେ କରଡ଼ିକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ଖରାରେ ସୁଖାଇ ଘରେ ରଖି ଆବଶ୍ୟକ ଅନୁଯାୟୀ ବ୍ୟବହାର କରିବାର ନଜିର ରହିଛି। ଏକ ନିର୍ଧିଷ୍ଟ ସମୟ ପାଇଁ ବଜାରରେ ଏହା ବିକ୍ରି ହେଉଥିବାରୁ ଚାହିଦା ଢ଼େର ରହିଥାଏ । କରଡ଼ିର ପ୍ରସ୍ତୁତ ତରକାରୀ, ଭଜା ଭାରି ସୁସ୍ବାଦିଷ୍ଟ ଯୋଗୁ ସାଧାରଣ ଲୋକ ମଧ୍ୟ କରଡ଼ିକୁ କିଣି ନେଇଥାନ୍ତି । ପୂର୍ବ ଭଳି ଆଉ ଜଙ୍ଗଲରେ ବାଉଁଶ କରଡ଼ି ମିଳୁନି ।
ବାଉଁଶ ଗଜାକୁ ଛୋଟ ଛୋଟ କରି କାଟି ବଜାରରେ ବିକ୍ରି କରାଯାଇଥାଏ । କରଡିରେ ବିଭିନ୍ନ ସୁଆଦିଆ ତରକାରି, ଭଜା ଏମିତି କି ଆଚାର ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ବହୁ ଲୋକ ଏହାକୁ ସ୍ନାକ୍ସ ଭାବରେ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ବର୍ଷା ଦିନ ମାନଙ୍କରେ ଏହା ଫ୍ରେସ୍ ମିଳୁଥିବା ବେଳେ କିଛି ଲୋକ ଏହାକୁ ବର୍ଷ ତମାମ ସଂଗ୍ରହ କରି ହେଣ୍ଡୁଆ ଆକାରରେ ରଖିଥାନ୍ତି । କାହିଁ କେଉଁ କାଳରୁ ଆଦିବାସୀ ବାଉଁଶ କରଡ଼ିକୁ ନିଜ ଖାଦ୍ୟ ଭାବେ ବ୍ୟବହାର କରି ଆସୁଛନ୍ତି । ହେଲେ ଖୁସିର କଥା ଆଜି ଅନେକ ଓଡ଼ିଆ ପରିବାର ଏହାକୁ ନିଜ ଖାଇବା ଥାଳିରେ ଯୋଡିବାକୁ ଆଗ୍ରହୀ ।
ଡାକ୍ତରଙ୍କ କହିବାନୁଯାୟୀ, ବାଉଁଶ ଗଜା କରଡ଼ିରେ ରହିଛି ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍ । ଏହାକୁ ଉଚିତ୍ ପ୍ରଣାଳୀ (ହଳଦୀ ପାଣିରେ ଭିଜାଇ, ଗରମ ପାଣିରେ ସିଝାଇ) ରେ ରୋଷୋଇ କରି ଖାଇଲେ କୌଣସି ଅସୁବିଧା ନାହିଁ । ବୈଜ୍ଞାନିକ ପରୀକ୍ଷା ନୀରିକ୍ଷା ପୂର୍ବରୁ ଆଦିବାସୀ ଓ ସାଧାରଣ ଲୋକଙ୍କ ପ୍ରମୁଖ ଖାଦ୍ୟ ଭାବେ ଏହା ପରିଣତ ହୋଇଛି । ଗଛ ଗଜା ସମୟରେ କରଡ଼ି ପାଇଁ ଆଦିବାସୀ କାଟି ଦେଉଥିବାରୁ ଆବଶ୍ୟକ ଅନୁଯାୟୀ ଜିଲ୍ଲାରେ ବାଉଁଶ ଉତ୍ପାଦନ ହୋଇ ପାରୁନି । ତେଣୁ ବନ ବିଭାଗ ବାଉଁଶ କରଡ଼ିର ବିକ୍ରି ଦିଗରେ କଟକଣା ଲଗାଇଛି । ସୁସ୍ବାଦ ସାଙ୍ଗକୁ କରଡ଼ିରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍ ରହୁଥିବାରୁ ସ୍ବାସ୍ଥ୍ୟ ପାଇଁ ଏହା ହିତକାରକ । ଯେଉଁଥି ପାଇଁ ଆଦିବାସୀଙ୍କ ଭଳି ସାଧାରଣ ଲୋକ ବି ଖାଦ୍ୟ ଥାଳିରେ ବାଉଁଶ କରଡ଼ିକୁ ଏକ ଆଇଟମ୍ ଭାବେ ସାମିଲ୍ କଲେଣି ।