ବୁଦ୍ଧ ପୂର୍ଣ୍ଣିମା “ବୁଦ୍ଧ ଜୟନ୍ତୀ” ର ବିଶେଷତ୍ୱ
୨୬ ମଇ, ମାନେ ଆଜି ଦିନରେ ସାରା ଦେଶ ବୁଦ୍ଧ ପୂର୍ଣ୍ଣିମା ପାଳନ କରୁଛି । ଭଗବାନ ବୁଦ୍ଧଙ୍କ ଧରାଵତରଣର ଦିନ।
୨୬ ମଇ, ମାନେ ଆଜି ଦିନରେ ସାରା ଦେଶ ବୁଦ୍ଧ ପୂର୍ଣ୍ଣିମା ପାଳନ କରୁଛି । ଭଗବାନ ବୁଦ୍ଧଙ୍କ ଧରାଵତରଣର ଦିନ। ଇତିହାସ ଅନୁଯାୟୀ ବୈଶାଖ ମାସ ପୂର୍ଣ୍ଣିମା ତିଥିରେ ବୌଦ୍ଧ ଧର୍ମର ସଂସ୍ଥାପକ ଭଗବାନ ବୁଦ୍ଧ ଜନ୍ମ ନେଇଥିଲେ । ତେଣୁ ବୈଶାଖ ମାସର ପୂର୍ଣ୍ଣମୀ ତିଥିରେ ବୁଦ୍ଧ ଜୟନ୍ତୀ ପାଳିତ ହୁଏ । ତେଣୁ ଏହି ପୂର୍ଣ୍ଣିମାକୁ ବୌଦ୍ଧ ପୂର୍ଣ୍ଣିମା ବୋଲି କୁହାଯାଏ । ବୌଦ୍ଧ ଧର୍ମରେ ପର୍ବପର୍ବାଣି ଓ ଆଡମ୍ବର କମ୍ ଥିଲେ ହେଁ ଉପାସନା, ଆରାଧନା, ଧ୍ୟାନ ଓ ସାଧନା ଆଦି ଆଚରଣବିଧି ପାଇଁ ବର୍ଷର ବାରଟିଯାକ ପୂର୍ଣ୍ଣିମା ତିଥି ଅତ୍ୟନ୍ତ ପୁଣ୍ୟ ଦିବସ । ସେଥିପାଇଁ ବୌଦ୍ଧ ଧର୍ମାବଲମ୍ବୀମାନେ ପ୍ରତ୍ୟେକ ପୂର୍ଣ୍ଣିମା ତିଥିରେ ପ୍ରାର୍ଥନା ଓ ଧ୍ୟାନ ବ୍ୟତୀତ ସ୍ୱତନ୍ତ୍ର ଉପାସନା ପର୍ଯ୍ୟନ୍ତ ଉପବାସ ରହିଥାନ୍ତି । ଭଗବାନ ବୁଦ୍ଧଙ୍କର ପିଲାବେଳର ନାଁ ଥିଲା ସିଦ୍ଧାର୍ଥ । ରାଜା ଶୁଦ୍ଧୋଦନଙ୍କ ପୁଅ ହେଉଛନ୍ତି ବୁଦ୍ଧ। ତାଙ୍କର ଜନ୍ମସ୍ଥାନ ନେପାଳର ଲୁମ୍ବିନୀ ପ୍ରଦେଶରେ। ପିଲାଟି ବେଳୁ ସେ ବୈରାଗୀ ମନୋଭାଵର ଥିଲେ। ଏଣୁ ଗୃହତ୍ୟାଗୀ ହୋଇ ସେ ସନ୍ନ୍ୟାସୀ ହୋଇଥିଲେ । ଅହିଂସା ଧର୍ମର ପରମ ପ୍ରବର୍ତ୍ତକ ଥିଲେ ସେ। ମହାତ୍ମା ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କର ନବମ ଅବତାର ବୋଲି କୁହାଯାଏ । ବୁଦ୍ଧ ପୂର୍ଣ୍ଣମା କେବଳ ଭାରତରେ ନୁହେଁ , ବରଂ ଅନ୍ୟ କିଛି ଦେଶରେ ମଧ୍ୟ ଖୁବ୍ ଆନନ୍ଦ ଉହ୍ଲାସରେ ପାଳନ କରାଯାଇଥାଏ । ଯେପରିକି , ଶ୍ରୀଲଙ୍କା, କମ୍ବଡିଆ, ଭିଏତନାମ, ନେପାଳ, ଥାଇଲାଣ୍ଡ ଭଳି ଆଉ କିଛି ଦେଶ ମଧ୍ୟ ସାମିଲ ରହିଛି ।
କେବଳ ବୌଦ୍ଧ ନୁହଁନ୍ତି ହିନ୍ଦୁ ମାନଙ୍କର ସେ ହେଉଛନ୍ତି ପରମ ପୂଜ୍ୟ । ସେଥିପାଇଁ ତ ଜୟଦେବ ଗୋସାଇଁ ନିଜ ଗୀତ ଗୋବିନ୍ଦ କାବ୍ୟ ଖଣ୍ଡରେ ତାଙ୍କୁ ଭଗବାନ ବିଷ୍ଣୁଙ୍କ 9ମ ଅବତାର ଭାବେ ସ୍ଥାନ ଦେଇଛନ୍ତି । ବୁଦ୍ଧ ଜୟନ୍ତୀ ଦିବସର ତାତ୍ପର୍ଯ୍ୟ ହେଲା ସେହି ଦିନ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ ଏବଂ ବୁଦ୍ଧତ୍ୱ ପ୍ରାପ୍ତ ଓ ନିର୍ବାଣ ପ୍ରାପ୍ତ ହୋଇଥିଲେ । ଗୌତମ ବୁଦ୍ଧଙ୍କ ଶୀଳ, ସମାଧି, ପ୍ରଜ୍ଞା ଏବଂ ସତ୍ୟ, ଅହିଂସା ଓ କରୁଣାର ବାଣୀ ରାଷ୍ଟ୍ର, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଆଜି ପ୍ରଭାବିତ କରିପାରିଛି । ବୌଦ୍ଧଧର୍ମର ସିଦ୍ଧାନ୍ତ ଓଡ଼ିଶାର ଧର୍ମ, ସଂସ୍କୃତି, ସାହିତ୍ୟ ଓ ଆଚାରବ୍ୟବହାର କ୍ଷେତ୍ରରେ ପ୍ରୟୋଗ ହୋଇ ଆସିଛି ।
ଗୌତମ ବୁଦ୍ଧଙ୍କ ବିଚାରରେ ମଣିଷର ଦୁଃଖର କାରଣ ଅନେକ। ଯାହା ଚାହୁଛ ତାହା ନ ପାଇବା ଯେପରି ଦୁଃଖର କାରଣ, ନ ଚାହୁଥିବା ଜିନିଷର ପ୍ରାପ୍ତି ମଧ୍ୟ ସେପରି ଦୁଃଖର କାରଣ। ପ୍ରିୟଜନକୁ ହରେଇବାର ଭୟ, ନିଜ ସୁଖ ସ୍ବାଚ୍ଛନ୍ଦ୍ୟର ଅସ୍ଥାୟିତ୍ବ, ଆଶଙ୍କା, ବ୍ୟାଧି, ଯନ୍ତ୍ରଣା ଓ ବିଫଳତା ଏସବୁ ଦୁଃଖର କାରଣ। ଏ ଦୁଃଖର କାରଣ ହେଉଛି ଆସକ୍ତି। ମଣିଷ ଯେତେବେଳେ ଅନ୍ୟକୁ ବା ନିଜ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ଆସ୍ଫାଳନ କରେ ସେତେବେଳେ ଦୁଃଖକୁ ଆମନ୍ତ୍ରଣ କରି ବସେ। ଅର୍ଥ, କାମ ଓ ଯଶର କାମନା ମଣିଷକୁ ଦୁଃଖୀ କରିଥାଏ। ଯେହେତୁ ଯନ୍ତ୍ରଣାର ଶେଷ ନାହିଁ ସେଥିପାଇଁ ମଣିଷ ଆସକ୍ତିକୁ ଅତିକ୍ରମ କରିବାକୁ ଉଦ୍ୟମ କରିବା ଦରକାର। ଏହାକୁ ନିରୋଧ କୁହାଯାଏ। ଆସକ୍ତିରୁ ମୁକ୍ତ ହେବା ହେଉଛି ଦୁଃଖ ଓ ଯନ୍ତ୍ରଣାକୁ ଅତିକ୍ରମ କରିବାର ଏକମାତ୍ର ମାର୍ଗ। ଗୌତମ ବୁଦ୍ଧ ଏଥିପାଇଁ ଅଷ୍ଟ ମାର୍ଗର କଥା କହିଥିଲେ। କାମନାର ବିନାଶରେ ହିଁ ଦୁଃଖର ବିନାଶ।
ଗୌତମ ବୁଦ୍ଧଙ୍କର ଗୋଟିଏ ଉକ୍ତି ହେଲା, ‘ମୁହୂର୍ତ୍ତଟିଏ ଯେପରି ଗୋଟିଏ ଦିନକୁ ଓ ଦିନଟିଏ ଯେପରି ଗୋଟିଏ ଜୀବନକୁ ବଦଳାଇ ଦେଇଥାଏ, ସେହିପରି ଗୋଟିଏ ଜୀବନ ପୃଥିବୀକୁ ବଦଳାଇ ଦେଇପାରେ।’ ଗୌତମ ବୁଦ୍ଧଙ୍କର ନିଜ ଜୀବନ ସେହିପରି ଏକ ଜୀବନ ଥିଲା, ଯାହା ଏ ପୃଥିବୀକୁ ବଦଳେଇ ଦେଇପାରିଥିଲା।