ଜାଣନ୍ତୁ କାର୍ତ୍ତିକ ମାସରେ ପଞ୍ଚୁକର ମହତ୍ତ୍ୱ

ଶ୍ରୀମନ୍ଦିରରେ ମହାପ୍ରଭୁ ଏହି ଦିନରୁ ପାଞ୍ଚ ଦିନ ଧରି ବିଭିନ୍ନ ସ୍ୱତନ୍ତ୍ର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି।

152

ମହାଧାର୍ମିକ କାର୍ତ୍ତିକ ମାସରେ ପାଳନ ହୁଏ ପଞ୍ଚୁକ ବ୍ରତ। ବ୍ରତଧାରୀ ଓ ହବିଷ୍ୟାଳି ମାନେ କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ପଞ୍ଚୁକ ବ୍ରତ ପାଳନ କରିଥାନ୍ତି । ଯେଉଁମାନେ କାର୍ତ୍ତିକ ବ୍ରତ ପାଳନ କରିନଥାନ୍ତି ସେହିମାନେ ଶେଷ ପାଞ୍ଚଦିନ ପଞ୍ଚୁକ ବ୍ରତ ପାଳନ କରି ପୂଣ୍ୟ ଅର୍ଜନ କରିଥାନ୍ତି। ପଞ୍ଚୁକ ଉପଲକ୍ଷେ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଏବଂ ହରିଉତ୍ଥାପନ ଏକାଦଶୀ ଅନୁଷ୍ଠିତ ହୋଇଥାଏ । କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ଅନୁଷ୍ଠିତ ହୋଇଥାଏ।

ଉଲ୍ଲେଖଯୋଗ୍ୟ କାର୍ତିକ ମାସର ଶୁକ୍ଳ ଏକାଦଶୀକୁ ବଡ ଏକାଦଶୀ ଭାବରେ ମଧ୍ୟ ପାଳନ କରାଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନରେ ଭଗବାନ ଶ୍ରୀହରି ବଳି ରାଜାଙ୍କ ରାଜ୍ୟରେ ଚାତୁର୍ମାସ୍ୟ ବିଶ୍ରାମ ପରେ ବୈକୁଣ୍ଠ ଫେରିଥିଲେ ।

ଆହୁରି ମଧ୍ୟ ଏହି ଏକାଦଶୀକୁ ପ୍ରବୋଧନା ଏକାଦଶୀ, ଦେବଉତଥାନ ଏକାଦଶୀ ବା ବଡ ଏକାଦଶୀ ଭାବରେ ମଧ୍ୟ ପାଳନ କରାଯାଇଥାଏ । ଆହୁରି ମଧ୍ୟ ବର୍ଷରେ ପଡୁଥିବା ୨୪ଟି ଯାକ ଏକାଦଶୀକୁ ପାପନାଶକ ଦିବସ ଭାବେ ଗ୍ରହଣ କରାଯାଉଥିଲେ ମଧ୍ୟ ଏହି ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି । ଶ୍ରୀମନ୍ଦିରରେ ମହାପ୍ରଭୁ ଏହି ଦିନରୁ ପାଞ୍ଚ ଦିନ ଧରି ବିଭିନ୍ନ ସ୍ୱତନ୍ତ୍ର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି। ଏହି ଦିନରେ ଗୃହିଣୀମାନେ ବଡି ଭୋରରୁ ଉଠି ଚଉଁରାମୁଳରେ ମୁରୁଜ ଆଙ୍କି ପୂଜାର୍ଚ୍ଚନା କରିଥାନ୍ତି ।

ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ପୂଜା କରିଥାନ୍ତି । କୁହାଯାଏ ଯେ ଏହି ପାଞ୍ଚଦିନକାଳ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ । କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ପିଣ୍ଡ ପ୍ରଦାନ ଓଡ଼ିଶାରେ ସଂପ୍ରତି ପ୍ରଚଳିତ ନାହିଁ, ମାତ୍ର ବ୍ରତ ପାଳନ ଏବେ ବି ଓଡ଼ିଆ ପରମ୍ପରାରେ ଅନୁସୃତ । ବିଧବାମାନେ ଏହି ମାସରେ ହବିଷ୍ୟ ପାଳନ ପୂର୍ବକ ପ୍ରତ୍ୟହ ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜଳନ କରିଥାନ୍ତି ।