ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପବିତ୍ର ହେରା ପଞ୍ଚମୀ

ପୁରୀ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ୟ ଏକ ନୀତି ହେଉଛି ‘ହେରାପଞ୍ଚମୀ’ ।

281

ପୁରୀ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ୟ ଏକ ନୀତି ହେଉଛି ‘ହେରାପଞ୍ଚମୀ’ । ‘ହେରା’ର ଅର୍ଥ ହେଉଛି ଦର୍ଶନ ବା ଦେଖା । ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିବା ଶ୍ରୀଜଗନ୍ନାଥଙ୍କୁ ଏହିଦିନ ଦେବୀ ଲକ୍ଷ୍ମୀ ‘ହେରିବାକୁ’ (ଦେଖିବାକୁ) ଯାଆନ୍ତି । ରଥଯାତ୍ରାର ପଞ୍ଚମ ଦିନ ଏହି ନୀତି ହେଉଥିବାରୁ ଏହାର ନାମ ‘ହେରାପଞ୍ଚମୀ’ ।  ‘ହେରା ପଞ୍ଚମୀ’ ଯାହାକି ଶ୍ରୀଜଗନ୍ନାଥ ଓ ଦେବୀ ଲକ୍ଷ୍ମୀଙ୍କର ଏକ ‘ଦାମ୍ପତ୍ୟ-ଲୀଳା’ । ହେରା ପଞ୍ଚମୀ ଦିନ ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ମାଆ ଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନଥିବାରୁ ଅଭିମାନ କରି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥକୁ ଭାଙ୍ଗିଥାନ୍ତି ।

Famous Hera Panchami of Puri Rath Yatra
@shrijagannatha

ଏହି ନୀତି ଅନୁସାରେ, ହେରାପଞ୍ଚମୀ ଦିନ, ଶ୍ରୀମନ୍ଦିରର ଭଣ୍ଡାର ଘରଠାରୁ  ଦେବୀ ଲକ୍ଷ୍ମୀଙ୍କୁ ମହାଜନ ସେବକ ବିମାନକୁ ବିଜେ କରାଇ ଆଣନ୍ତି  ପ୍ରଭୁ ରହିଥିବା ମାଉସୀ ମାଁ ଘରକୁ । ବିମାନବଡ଼ୁ ସେବକ ତାଙ୍କୁ ଆଡ଼ମ୍ବରପୂର୍ଣ୍ଣ ଘଣ୍ଟ, ବାଜା ଓ କାହାଳୀ ଆଦି ସହିତ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଥିବା ରଥ ନିକଟକୁ ନେଇ ଯାଆନ୍ତି । ସେଠାରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଚିହ୍ନଟ କରିସାରି, ଦେବୀ ଲକ୍ଷ୍ମୀ ସେହି ରଥ ନିକଟରେ ବିମାନରେ ବସି ରହିଥିବା ବେଳେ, ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ପତିମହାପାତ୍ର ତାଙ୍କର ବନ୍ଦାପନା  କରନ୍ତି ।ତାହା ପରେ ଦେବୀଙ୍କ ବିମାନ ଶ୍ରୀଗୁଣ୍ଡିଚା ମନ୍ଦିରର ଜୟବିଜୟ ଦ୍ୱାର ନିକଟକୁ ଯାଏ । ସେହିଠାରେ ବିମାନରେ ଥାଇ, ସେ ବିମଳାଦେବୀଙ୍କଠାରୁ ଆଣିଥିବା ‘ମୋହନଚୂର୍ଣ୍ଣ’ ଶ୍ରୀଜଗନ୍ନାଥଙ୍କ ଉପରକୁ ନିକ୍ଷେପ କରନ୍ତି । ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ଠାରୁ ତାଙ୍କୁ ଆଜ୍ଞାମାଳ ଦିଆଯାଏ । ତାହା ମାଧ୍ୟମରେ ଶ୍ରୀଜଗନ୍ନାଥ ତାଙ୍କୁ ପ୍ରତିଶୃତି ଦିଅନ୍ତି ଯେ ତିନିଦିନ ପରେ ସେ ଶ୍ରୀମନ୍ଦିରକୁ ଫେରିଆସିବେ ।

Famous Hera Panchami of Puri Rath Yatra
@JagannathaDhaam

କିନ୍ତୁ ଏହି ସମୟରେ  ସଂଧ୍ୟାଧୂପର ସମୟ ହୋଇଯାଇଥିବାରୁ ‘ଟେରା’ (କନାର ଏକ ଆବରଣ) ପଡ଼ିଯାଏ ଏବଂ ଦେବୀ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କର ଶ୍ରୀମୁଖକୁ ଆଉ ଅଧିକ ସମୟ ଦର୍ଶନ କରିପାରନ୍ତି ନାହିଁ । ସେଥିରେ ସେ ରୁଷ୍ଟ ହୁଅନ୍ତି । ପୁନଶ୍ଚ ‘ନନ୍ଦିଘୋଷ’ ରଥ ପାଖକୁ ଆସି ସେଥିରୁ ଖଣ୍ଡିଏ କାଠ ଭାଙ୍ଗିଦେଇ ଚାଲିଯାଆନ୍ତି ।ଏହାକୁ ଦେବୀ ଲକ୍ଷ୍ମୀଙ୍କ କ୍ରୋଧର ପରିପ୍ରକାଶ ବୋଲି ସାଧାରଣତଃ କୁହାଯାଇଥାଏ । କିନ୍ତୁ ଏହା ତାଙ୍କର କ୍ରୋଧ ନୁହେଁ ।  ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ସହିତ ଫେରିବାର ପ୍ରତିଶୃତି ପାଇବା ପରେ, ଆଉ କ୍ରୋଧର ଅବକାଶ ନଥାଏ । କିନ୍ତୁ ଅଧିକ ସମୟ ସ୍ୱାମୀଙ୍କ ଶ୍ରୀମୁଖ ଦର୍ଶନ ନକରି ପାରିବା ନେଇ ତାଙ୍କ ମନରେ କ୍ଷୋଭ ଜାତ ହୁଏ । ତାହାର ପରିପ୍ରକାଶ ଘଟେ ‘ନନ୍ଦିଘୋଷ’ର ରଥକାଠ ଭଙ୍ଗାରେ ।