ଶାମ୍ବ ଦଶମୀର ମହତ୍ୱ ଓ କାହିଁକି କରାଯାଏ ପାଳନ?

ଶାମ୍ବଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ I

6,676

ଓଡିଶା ହେଇଛି ଏକ ପର୍ବପର୍ବାଣିର ରାଜ୍ୟ । ଏଠି ବାରମାସରେ ତେରପର୍ବ ପାଳନ କରାଯାଏ । ପ୍ରତିଟି ପର୍ବପର୍ବାଣିର ଏକ ନିଜସ୍ୱ ସ୍ୱତନ୍ତ୍ରତା ମଧ୍ୟ ରହିଛି । ଆଉ ବାର ମାସରେ ପାଳିତ ହେଉଥିବା ତେର ପର୍ବ ମଧ୍ୟରୁ ଅନ୍ୟତମ ହେଉଛି ଶାମ୍ବଦଶମୀ ।

କେବେ ପାଳନ ହୁଅ ଶାମ୍ବଦଶମୀ

ପୌଷ ଶୁକ୍ଳ ଦଶମୀ ଦିନରେ ଶାମ୍ବଦଶମୀ ପାଳନ କରାଯାଏ । ଶାମ୍ବଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ। ବର୍ଷର ବାରମାସ ଯାକ ଭିନ୍ନଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବପାଳିତ ହୋଇଥାଏ । ତେବେ ଶାମ୍ବଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ଯାଏଁ ଏତେ ପିଠାପଣାର ପର୍ବ ପଡେନାହିଁ । ଅନ୍ୟ ପର୍ବପର୍ବାଣିରେ ପିଠାପଣାର ଆସର ଜମୁଥିବା ବେଳେ ଶାମ୍ବଦଶମୀରେ ପିଠାପଣା ସହିତ ଘରେ ଆଉ ଏକ ଭିନ୍ନ ଏବଂ ସ୍ୱାଦିଷ୍ଟ ତରକାରୀ ହୋଇଥାଏ । ବିଭିନ୍ନ ପନିପରିବା ପଡି ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ ତାକୁ ‘ଘଡଘଡା ତିଅଣ’ କୁହାଯାଇଥାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ବା ‘ଘଡଘଡା ତିଅଣ’ ।

କାହିଁକି ପାଳନ ହୁଏ ଓ ପୂଜାବିଧି

ନାରୀମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ ପାଇଁ ଶାମ୍ବଦଶମୀ ନିଷ୍ଠାର ସହ ପାଳନ କରିଥାନ୍ତି । ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କ ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ସକାଳୁ ସକାଳୁ ସୂର୍ଯ୍ୟୋଦୟ ସମୟରେ ପ୍ରଥମ ଧୂପ ହୁଏ । ହିନ୍ଦୁ ନାରୀମାନେ ନିଷ୍ଠାର ସହ ଫଳମୂଳ ଓ ମିଠା ଇତ୍ୟାଦି ନୈବେଦ୍ୟ ବାଢିଥାନ୍ତି । ଏହା ସହିତ ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି । ଏହା ପରେ ମଧ୍ୟାହ୍ନରେ ଦ୍ୱିତୀୟ ଧୂପ ଦିଆଯାଇଥାଏ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାର ପିଠା, ଖେଚୁଡି, ଘଡଘଡା ତିଅଣ ଆଦି ଭୋଗ ହୁଏ । ଶେଷରେ ସଂଧ୍ୟାରେ ତୃତୀୟ ଧୂପ ଦିଆଯାଇଥାଏ । ଏହି ଧୂପରେ ମଧ୍ୟ ଏଣ୍ଡୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।

ପୌରାଣିକ କଥା

ଶାମ୍ବପୁରାଣ ହେଉଛି ସୂର୍ଯ୍ୟପୁରାଣର ଅନ୍ତର୍ଗତ । ଆଉ ଏହି ଶାମ୍ବପୁରାଣ ଦେବର୍ଷି ନାରଦ ଶ୍ରୀକୃଷ୍ଣ ଜାମ୍ବବତୀ ପୁତ୍ର ଶାମ୍ବଙ୍କୁ ଶୁଣାଇଥିବାରୁ ଶାମ୍ବ ନାମାନୁସାରେ ଏହି ଦଶମୀକୁ ଶାମ୍ବ ଦଶମୀ ବା ଗାଁ ଗହଳିରେ ସମ୍ବର ଦଶମୀ କୁହାଯାଇଥାଏ । ପୁରାଣରେ କଥିତ ଅଛି… ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହ ପ୍ରେମାଳାପରେ ମଗ୍ନଥିବା ବେଳେ ଦ୍ୱାର ଦେଶରେ ଶାମ୍ବଙ୍କୁ ଜଗାଇ ଆଦେଶ ଦେଇଥିଲେ, କାହାକୁ ଅନ୍ତଃପୁରକୁ ନଛାଡ଼ିବା ପାଇଁ । ଶାମ୍ବ ହେଉଛନ୍ତି ଶ୍ରୀକୃଷ୍ଣ ଜାମ୍ବବତୀଙ୍କ ସୁପୁତ୍ର । ଏ ସମୟରେ ମହର୍ଷି ଦୁର୍ବାସା ଦ୍ୱାରଦେଶରେ ଉପନୀତ ହେଇ ଶ୍ରୀକୃଷ୍ଣ ଦର୍ଶନ ଚାହିଁଲେ । ମହର୍ଷି ଦୁର୍ବାସାଙ୍କ କୋପରେ ଶାମ୍ବ ଭୟଭୀତ ହୋଇ ଶ୍ରୀକୃଷ୍ଣଙ୍କୁ ଡାକି ଦେଲେ । ପ୍ରେମମାଳା ଭଙ୍ଗ ହେବା କାରଣରୁ ଶ୍ରୀକୃଷ୍ଣ ଶାମ୍ବଙ୍କୁ କୁଷ୍ଠ ରୋଗ ହେବା ନିମନେ ଅଭିଶାପ ଦେଲେ । ଶ୍ରୀକୃଷ୍ଣ ପୁତ୍ରକୁ ଅଭିଶାପ ଦେଇ ଅନୁତପ୍ତ ହୋଇ ଦୁର୍ବାସାଙ୍କୁ ପୁତ୍ର ଶାମ୍ବର କୁଷ୍ଠ ମୁକ୍ତି ଉପାୟ ପଚାରିବାରୁ ଦୁର୍ବାସା ଅର୍କକ୍ଷେତ୍ର କୋଣାର୍କ କଥା କହି ଶାମ୍ବଙ୍କୁ ସେ କ୍ଷେତ୍ରରେ ସୂର୍ଯ୍ୟପୂଜା କରିବା ପାଇଁ ନିର୍ଦ୍ଦେଶ ଦେଲେ ।

ସଂସ୍କୃତ ଶାମ୍ବପୁରାଣରେ ଚନ୍ଦ୍ରଭାଗା ତୀର୍ଥ ମାହାତ୍ମ୍ୟ ବିଶଦ ବର୍ଣ୍ଣିତ । ଦେବର୍ଷି ନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶ କଲେ । ସେହି ଦିନ ଥିଲା ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥି । ସେଠାରେ ଶାମ୍ବ ସୂର୍ଯ୍ୟଙ୍କ ପୂଜାରାଧନା କଲେ ଏବଂ ଚନ୍ଦ୍ରଭାଗା ନଦୀକୂଳରେ ତପସ୍ୟା କରି ସୂର୍ଯ୍ୟନାରାୟଣ ବା ପ୍ରଭୁ ଆଦିତ୍ୟ ନାରାୟଣଙ୍କର ଏକ ମଣି ବିଗ୍ରହ ପାଇଥିଲେ । ସୂର୍ଯ୍ୟ ହିଁ ଭଗବାନ ନାରାୟଣଙ୍କ ସ୍ୱରୂପ । ତାଙ୍କରି ଆର୍ଶିବାଦ ବଳରେ ଶାମ୍ବ ଦୁରାରୋଗ୍ୟ ବ୍ୟାଧି ଦୂର ହୋଇ ସୁନ୍ଦର ଶରୀର ଲାଭ କରିଥିଲେ ।

ଏହି ଦିନଟି ଥିଲା ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି । ଶାମ୍ବ କୁଷ୍ଠ ରୋଗରୁ ମୁକ୍ତିଲାଭ ପାଇ ସମଗ୍ର କଳିଙ୍ଗରେ ସୂର୍ଯ୍ୟପୂଜା ବିଧିର ପ୍ରଚାର କରାଇଲେ । ଭାରତର ସାତଟି ସ୍ଥାନ – ଉଳ୍ଳାର୍କ, ପୁଣ୍ଡାର୍କ, ମାର୍କେତୋୟାର୍କ, ବାଲୋର୍କ, କୋଣାର୍କ, ଚାପାର୍କ ଏବଂ କଳିଙ୍ଗର କୋଣାର୍କ ସ୍ଥାପନ କଲେ । ପ୍ରଥମେ ସେ ଚନ୍ଦ୍ରଭାଗା ନଦୀକୂଳରେ ଏକ ମନ୍ଦିର ତିଆରି କରାଇ ପୌଷ ଶୁକ୍ଳ ଦଶମୀ (ଶାମ୍ବଦଶମୀ) ତିଥିରେ ମର୍ତ୍ତ୍ୟଲୋକରେ ସୂର୍ଯ୍ୟ ମୂର୍ତ୍ତି ପୂଜାର ପ୍ରଥା ପ୍ରଚଳିତ କରାଇଥିଲେ ।

ସବେଠାରୁ ଦର୍ମୀୟ ବିଶ୍ୱାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟ ପୂଜା କରି ଅର୍ଘ୍ୟ ଦେଲେ ମନୋକାମନା ପୂରଣ ହୋଇଥାଏ । ତେଣୁ ପ୍ରତିବର୍ଷ ଏହି ଦିନଟିକୁ ଲୋକେ ବେସ ନିଷ୍ଠାର ସହ ପାଳନ କରିଥାନ୍ତି । ସବୁଠୁ ବଡକଥା ହେଉଛି ଏହି ଦିନ ସକାଳୁ ସକାଳୁ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ବହୁ ଦୁରଦୁରାନ୍ତରରୁ ଲୋକେ ଏଠାକୁ ସୂର୍ଯ୍ୟ ପୂଜା କରିବାକୁ ଧାଇଁ ଆସିଥାନ୍ତି । ଶାମ୍ବଦଶମୀ ପୂର୍ବ ରାତିଠୁ ଆଶି ଚନ୍ଦ୍ରଭାଗାରେ ଭିଡ ଜମାଇଥାନ୍ତି ଭକ୍ତ । ସକାଳ ହେଲେ ସୂର୍ଯ୍ୟଙ୍କ ଦର୍ଶନ କରିବା ସହ ପ୍ରଥମ ଧୂପ ପ୍ରଦାନ କରିଥାନ୍ତି । ଏହା ସହିତ ଏହିଦିନ ଗୃହିଣୀମାନେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ଶୁଚିମନ୍ତ ହୋଇ ଛାତ ଉପର କିମ୍ବା ଖୋଲା ସ୍ଥାନକୁ ପରିସ୍କାର କରି ଚିତା ପକାଇ ଥାନ୍ତି । କଳସ ସ୍ଥାପନ କରି ସାତଟି ବାଇଗଣ ପତ୍ର ବା କଦଳୀ ପତ୍ରରେ ପୂର୍ବରୁ ଯାଚିଥିବା ଭୋଗ ସବୁ ବାଢ଼ି ସୂର୍ୟ୍ୟଦେବଙ୍କୁ ପୂଜା କରନ୍ତି । ଗାଁଗହଳରେ ଏହି ପୂଜା ସାରିବା ପରେ ପିଲାମାନଙ୍କ ମଧ୍ୟରେ ଏହି ଭୋଗ ବଣ୍ଟାଯାଏ । ଏହି ପର୍ବରେ ସୂର୍ଯ୍ୟଦେବଙ୍କୁ ପୂଜା କଲେ ସମସ୍ତ ଚର୍ମରୋଗରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।

 

ସୂର୍ଯ୍ୟ ପୁରାଣ ଅନୁଯାୟୀ ଶ୍ରୀକୃଷ୍ଣ ଓ ଜାମ୍ବବତୀଙ୍କ ପୁତ୍ର ଶାମ୍ବ ଶାପଗ୍ରସ୍ତ ହୋଇ କୁଷ୍ଠରୋଗରେ ପୀଡିତ ହୋଇଥିଲେ । ଶ୍ରୀକୃଷ୍ଣଙ୍କ ପରାମର୍ଶ କ୍ରମେ ସେ ସୂର୍ଯ୍ୟଙ୍କ ଉପାସନା କରି ଆରୋଗ୍ୟ ପ୍ରାପ୍ତ ହୋଇଥିଲେ । ପୌଷ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଭୟଙ୍କର କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିଲେ । ଚନ୍ଦ୍ରଭାଗା ଜଳରେ ସ୍ନାନ କରିବା ସମୟରେ ଶାମ୍ବ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଅଲୌକିକ ରୂପକୁ ଦେଖିପାରି ସେଠାରେ ଏକ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ଇଚ୍ଛା ପ୍ରକଟ କରିଥିଲେ । କୋଣାର୍କଠାରେ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ୧୨ଶ ଶତକରେ ଲାଙ୍ଗୁଳା ନରସିଂହଦେବଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏହି ମନ୍ଦିରଟି ସୂର୍ଯ୍ୟଙ୍କ ରଥ ସଦୃଶ । ଉତ୍କଳୀୟ କଳା ଓ ଭାସ୍କର୍ଯ୍ୟର ଏକ ଉତ୍କୃଷ୍ଟ ପ୍ରତିବେଦନ । ପବିତ୍ର ଶାମ୍ବ ଦଶମୀ ତିଥିରେ ସୂର୍ଯ୍ୟ ଉପାସନା କଲେ ପରିବାରରେ ସୁଖଶାନ୍ତି ସହିତ ସ୍ବାସ୍ଥ୍ୟ ଭଲ ରହିଥାଏ ବୋଲି ବିଶ୍ବାସ ରହିଛି ।

 

କୋଣାର୍କ ସମେତ ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ସୂର୍ଯ୍ୟ ମନ୍ଦିର ରହିଛି ଓ କୋଣାର୍କରେ ଶାମ୍ବ ଦଶମୀ ତିଥିଠାରୁ ସୂର୍ଯ୍ୟ ରଥଯାତ୍ରା ଆରମ୍ଭ ହୁଏ । ଏହା ମାଘ ମାସ ଶୁଳ୍କ ସପ୍ତମୀ ତିଥି ଯାଏ ଚାଲେ । ଏହି ଯାତ୍ରାରେ ସୂର୍ଯ୍ୟଦେବତାଙ୍କର ଚଳନ୍ତି ପ୍ରତିମା ମିତ୍ରାଦିତ୍ୟ, ସୂର୍ଯ୍ୟ ରଥରେ ରଥାରୂଢ଼ ହୋଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରି ମାଘ ମାସର ଶୁକ୍ଳ ସପ୍ତମୀ ତିଥିରେ ପ୍ରତ୍ୟାବର୍ତ୍ତନ କରନ୍ତି । ଶାମ୍ବ ଦଶମୀ ତିଥିରେ ପ୍ରାତଃ ସ୍ନାନକରି ମିତ୍ରାଦିତ୍ୟଙ୍କୁ ରଥରେ ଦର୍ଶନ କଲେ ରୋଗ, ଶୋକ ଓ ଭୟରୁ ମୁକ୍ତି ମିଳିଥାଏ ବୋଲି କପିଳ ସଂହିତାରେ ଉଲ୍ଲେଖ ଅଛି ।

 

ଓଡ଼ିଶାରେ ଶାମ୍ବ ଦଶମୀରେ ଯେପରି ସୂର୍ଯ୍ୟଙ୍କର ପୂଜା ହୁଏ, ଠିକ ସେମିତି ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶରେ ଛଟ ପୂଜାରେ ସୂର୍ଯ୍ୟଦେବ ଓ ତାଙ୍କ ଭଗ୍ନୀ ଛଟି ମାତାଙ୍କୁ ପୂଜା କରାଯାଏ । ଏହି ପର୍ବ ଚାରିଦିନ ଧରି ପାଳନ କରାଯାଏ । ଏଥିରେ ଉଦିତ ସୂର୍ଯ୍ୟ ଓ ଅସ୍ତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଓ ବନ୍ଦାପନା କରାଯାଏ । ଏହା କାର୍ତ୍ତିକ ମାସରେ ପାଳିତ ହୁଏ । କେବଳ ଆମ ଭାରତବର୍ଷର ସଂସ୍କୃତିରେ ନୁହେଁ, ବରଂ ସୂର୍ଯ୍ୟ ଉପାସନା ବିଶ୍ୱର ପ୍ରାୟ ସମସ୍ତ ସଂସ୍କୃତିରେ ଭିନ୍ନ ଭିନ୍ନ ଭାବେ ଚାଲିଆସୁଅଛି । କିନ୍ତୁ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଟେକିବାର ପରମ୍ପରା ଆମ ଭାରତବର୍ଷରେ ଟିକେ ନିଆରା । ତେବେ ଓଡ଼ିଆ ସଂସ୍କୃତିରେ ଏହି ପରମ୍ପରା ଏବଂ ସୂର୍ଯ୍ୟ ଦେବତାଙ୍କୁ ବିଶେଷ ଭାବେ ଉପାସନା କରିବାର ବିଧି ହେଉଛି ସ୍ୱତନ୍ତ୍ର ।

 

ଆଦିମ କାଳରୁ ସୂର୍ଯ୍ୟଦେବ ଭାରତୀୟ ଆର୍ଯ୍ୟମାନଙ୍କର ପ୍ରଧାନ ଉପାସ୍ୟ ରୂପେ ରହିଛନ୍ତି । ଭାରତୀୟ ଧର୍ମ ଇତିହାସରେ ସୂର୍ଯ୍ୟ ନାନା ଭାବରେ ଉପାସିତ । ସୂର୍ଯ୍ୟ ପୂଜା ହିନ୍ଦୁ ଧର୍ମରେ ଏକ ପ୍ରମୁଖ ପୂଜା । ସକାଳ ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦେବା ଏକ ନିତିଦିନିଆ ଚଳଣି । ଓଡ଼ିଆ ପରମ୍ପରାରେ ବାର ମାସରେ ତେର ପର୍ବ । ସମସ୍ତ ପର୍ବଗୁଡିକର ବିଶେଷତ୍ୱ ନିଆରା । ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟଙ୍କର ଏକ ବିଶେଷ ପୂଜା । ପୌଷମାସ ଶୁକ୍ଳପକ୍ଷ ଦଶମୀ ଦିନଟିକୁ ହିନ୍ଦୁମାନେ ଶାମ୍ବ ଦଶମୀ ଭାବେ ପାଳନ କରିଥାନ୍ତି । ସୂର୍ଯ୍ୟ ଉପାସନା ବିଧି ସହ ଓଡ଼ିଶାରେ ଘରେ ଘରେ ପାଳିତ ହେଉଥିବା ଶାମ୍ବ ଦଶମୀକୁ ଶମ୍ବର ଦଶମୀ ବୋଲି କୁହାଯାଏ ।