ଆଜି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାବାହୁ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଜି ହେଉଛି ପବିତ୍ର ସ୍ନାନଯାତ୍ରା । ରତ୍ନବେଦୀରୁ ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ୧୦୮ ଗରା ଜଳରେ ମହାସ୍ନାନ କରିବେ ଜଗତର ନାଥ ଶ୍ରୀଜଗନ୍ନାଥ ।

191

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଜି ହେଉଛି ପବିତ୍ର ସ୍ନାନଯାତ୍ରା । ରତ୍ନବେଦୀରୁ ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ୧୦୮ ଗରା ଜଳରେ ମହାସ୍ନାନ କରିବେ ଜଗତର ନାଥ ଶ୍ରୀଜଗନ୍ନାଥ । ପୁରୀରେ ଶ୍ରୀଜୀଉମାନଙ୍କ ଏହି ମାନବୀୟ ଲୀଳା ଦେଖିବାକୁ  ଭକ୍ତଙ୍କ ସମାଗମ ହୋଇଛି । ସ୍ନାନବେଦୀ ଆଜି ରଙ୍ଗବେରଙ୍ଗୀ ପୁଷ୍ପହାରରେ ସଜ୍ଜିତ ହୋଇଛି । ବଡ଼ଦାଣ୍ଡରେ ଉପସ୍ଥିତ ରହିଥିବା ଶ୍ରଦ୍ଧାଳୁଙ୍କ ସମେତ ସମସ୍ତ ଦଇତାପତି ସେବକ ତଥା ଶ୍ରୀମନ୍ଦିର ସେବାୟତଙ୍କ ମନରେ ଭରିଯାଇଛି ଆନନ୍ଦ ଉଲ୍ଲାସ । ପୌରାଣିକ କଥାବସ୍ତୁ ଅନୁସାରେ ଆଜି ଶ୍ରୀଜୀଉମାନଙ୍କ ଜନ୍ମତିଥି । ଏହି ଜନ୍ମତିଥିରେ ଶ୍ରୀଜୀଉମାନେ ସୁନାକଳସୀ ଜଳରେ ମହାନନ୍ଦରେ ମହାସ୍ନାନ କରିବାର ବିଧିକୁ ବିଶ୍ୱର କୋଟି କୋଟି ଶ୍ରଦ୍ଧାଳୁ ଦର୍ଶନ କରିବେ । ମହାପ୍ରଭୁ ଶ୍ରୀଜଗନ୍ନାଥ ଯାହାଙ୍କୁ ବିଶ୍ୱାସର ଅଖଣ୍ଡ ଦୃଢ଼ତାରେ ଅନୁଭବ କରିହୁଏ । ଯାହାଙ୍କୁ ବଡଦାଣ୍ଡରେ ଦେଖିବା ପାଇଁ ଅପେକ୍ଷା କରେ ଭକ୍ତ । ଏ ବର୍ଷ  ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର । ଏଥର ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା ଏବଂ ମଣ୍ଡପ ଉପରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ସ୍ନାନ ନୀତି କରିବା ସହ ଗଜାନନ ବେଶରେ ଦେବେ ଦର୍ଶନ ଚତୁର୍ଦ୍ଦାମୂର୍ତ୍ତୀ । ସ୍ନାନ ବେଦୀକୁ  ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଆଣିଲେ ଦଇତାପତି ଓ ସେବାୟତ । ଦେବସ୍ନାନ ପୁର୍ଣିମାରେ ଶ୍ରୀବିଗ୍ରହଙ୍କୁ ଜଳଲାଗି ନୀତି ପରେ ସ୍ନାନବେଦୀରେ ଏହା ବର୍ଷକୁ ଥରେ ଅନୁଷ୍ଠିତ ହୋଇଥାଏ ।

Snana Purnima

ପରମ୍ପରା ତଥା ଶ୍ରୀମନ୍ଦିରର ନୀତି ଅନୁଯାୟୀ ଶ୍ରୀମନ୍ଦିର ବାହାରେ ଥିବା ଶୀତଳାଦେବୀଙ୍କ ନିକଟସ୍ଥ ସୁନା କୂଅରୁ ଜଳ ବାହାର କରି କଳସରେ ଅଣାଯାଇଥାଏ । ଏହି ଜଳକୁ ଗରାରେ ଅଣାଯାଇ ସେଥିରେ ଚୂଆ, ଚନ୍ଦନ, କର୍ପୂର ଇତ୍ୟାଦି ସୁବାସିତ ପଦାର୍ଥ ମିଶ୍ରଣ କରାଯାଇଥାଏ । ଏହାପରେ ଶ୍ରୀଜୀଉମାନଙ୍କୁ ଏହି ଜଳରେ ସ୍ନାନ କରାଯାଇଥାଏ । ସୁନାକୂଅରୁ ୧୦୮ ଗରା ଜଳ ଆସିବା ପରେ ଶ୍ରୀଜଗନ୍ନାଥଙ୍କୁ ୩୫ ଗଡୁ, ଶ୍ରୀବଳଭଦ୍ରଙ୍କୁ ୩୩ ଗଡୁ ଓ ଦେବୀ ସୁଭଦ୍ରାଙ୍କୁ ୨୨ ଗଡୁ ଜଳରେ ସ୍ନାନ କରାଯାଏ । ସେହିପରି ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ୧୮ ଗଡୁ ଜଳ ରେ ସ୍ନାନ କରିବା ବିଧି ରହିଛି । ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଜଗତର ନାଥ ଜଗନ୍ନାଥ, ବଡ ଠାକୁର ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନଙ୍କର ସ୍ନାନ ମଣ୍ଡପରେ ମହାସ୍ନାନ ଅନୁଷ୍ଠିତ ହୋଇଥାଏ । ବର୍ଷକୁ ଥରଟିଏ ପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନ କରିବାର ବିଧି ରହିଛି । ସ୍ନାନ ଯାତ୍ରା ପରେ ଶ୍ରୀଜଗନ୍ନାଥ ଅସୁସ୍ଥ ହୋଇପଡନ୍ତି ବୋଲି କଥିତ ଅଛି । ସେହି ସମୟରେ ମହାପ୍ରଭୁଙ୍କ ଦର୍ଶନ ସମ୍ଭବପର ହୋଇନଥାଏ ।  ଏହାକୁ ” ଅଣସର ” କୁହାଯାଏ ।

Snana Purnima

ସେହିପରି ସ୍ନାନ ଯାତ୍ରା ଅବସରରେ ମହାପ୍ରଭୁଙ୍କର ଗଜାନନ ବା ହାତୀ ବେଶ ଅନୁଷ୍ଠିତ ହୁଏ ।  ବିଧି ଅନୁଯାୟୀ ସ୍ନାନ ପରେ ଶ୍ରୀ ବିଗ୍ରହ ମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ ଯାହା ” ହାତୀ ବେଶ ”  ନାମରେ ସୁପରିଚିତ । ପ୍ରତିବର୍ଷ ରାଘବ ଦାସ ମଠରୁ ଶ୍ରୀ ଜଗନ୍ନାଥ ଓ ମା’ ସୁଭଦ୍ରାଙ୍କ ହାତୀବେଶ ପାଇଁ ପୋଷାକ ଆସିଥାଏ । ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ବେଶ ପାଇଁ ଗୋପାଳ ତୀର୍ଥ ମଠ ବେଶ ପଠାଏ । ଏହାପରେ ଶ୍ରୀଜୀଉମାନଙ୍କୁ ଗଜ ବା ହାତୀ ବା ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ମହାପ୍ରଭୁଙ୍କ ଏହି ଅପୂର୍ବ ବେଶକୁ ଦର୍ଶନ କରି କୋଟି କୋଟି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥାଆନ୍ତି । ଏହି ସ୍ନାନବିଧିକୁ ସ୍ୱଚକ୍ଷୁରେ ଦର୍ଶନ କରିବା ଲାଗି  ପୁରୀ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି । ଭଗବାନଙ୍କର ଏହି ପବିତ୍ର ବେଶକୁ ଟିକେ ମନଭରି ଦେଖିବାକୁ ଶ୍ରଦ୍ଧାଳୁମାନେ ବହୁ ଦୂରଦୂରାନ୍ତରୁ ଆସିଥିବାର ଦେଖିବାକୁ ମିଳେ ।

Snana Purnima

 

ଅଣସରରେ ଜ୍ୟେଷ୍ଠ ପୂର୍ଣ୍ଣିମାଠାରୁ ଆଷଢ଼ ଅମାବାସ୍ୟା ପର୍ଯ୍ୟନ୍ତ ତାଙ୍କୁ ଚିକିତ୍ସା କରାଯାଏ । ଏହି ସମୟରେ ଦଇତାପତି ବା ବିଶ୍ୱାବସୁ ବଂଶଧରମାନେ ଠାକୁରମାନଙ୍କର ଚିକିତ୍ସା ଓ ସେବା ଶୁଶ୍ରୂଷା ଦାୟିତ୍ୱରେ ଥାଆନ୍ତି । ଏହି ସମୟରେ ବଳଭଦ୍ରଙ୍କ ବାଡ଼ରେ ହଳଧାରୀ, ସୁଭଦ୍ରାଙ୍କ ବାଡ଼ରେ ଚତୁର୍ଭୁଜା ଦେବୀ ଓ ଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରୀ ବିଷ୍ଣୁଙ୍କର ପଟ୍ଟଚିତ୍ରମାନ ଅଙ୍କିତ ହୋଇ ଅଣସର ତାଟି ସମ୍ମୁଖରେ ପନ୍ଦର ଦିନ ବ୍ୟାପୀ ପୂଜା ପାଇଥାନ୍ତି । ବିଭିନ୍ନ ଚେରମୂଳି ଔଷଧ, ପଥି ଦିଆଯାଏ । ତାପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି । ହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ । ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି ।