ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା

ପୁରୀ ରଥଯାତ୍ରା ଭଳି ପ୍ରତିବର୍ଷ ଲିଙ୍ଗରାଜ ମନ୍ଦିରରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଯାହାକି ରାଜ୍ୟ ତଥା ଦେଶରେ ବେଶ ପ୍ରସିଦ୍ଧ ।

287

ପୁରୀ ରଥଯାତ୍ରା ଭଳି ପ୍ରତିବର୍ଷ ଲିଙ୍ଗରାଜ ମନ୍ଦିରରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଯାହାକି ରାଜ୍ୟ ତଥା ଦେଶରେ ବେଶ ପ୍ରସିଦ୍ଧ । ଭକ୍ତଙ୍କ ଗହଣରେ ମାଉସୀ ମାଁ’ ଙ୍କ ଘର ଅଭିମୁଖେ ଯାତ୍ରା କରନ୍ତି ପ୍ରଭୁ ଲିଙ୍ଗରାଜ । ଘଣ୍ଟଘଣ୍ଟା, ହର ହର ମହାଦେବ ଧ୍ୱନିରେ ଫାଟି ପଡେ ପୁରା ପରିବେଶ । ରୁକୁଣା ରଥଯାତ୍ରା ଶ୍ରୀପଞ୍ଚମୀ ଦିନଠାରୁ ଆରମ୍ଭ ହୋଇଥାଏ  । ଏହି ରୁକୁଣା ରଥର ସ୍ୱତନ୍ତ୍ର ବିଶେଷତ୍ୱ ରହିଛି । ସୂକ୍ଷେ୍ମଶ୍ୱର ମନ୍ଦିର ନିକଟସ୍ଥ ଆମ୍ବତୋଟାର ଏକ ଆମ୍ବ ଗଛରୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ପରେ ଶ୍ରୀଲିଙ୍ଗରାଜ ପ୍ରଭୁଙ୍କ ପକ୍ଷରୁ କୁରାଢ଼ୀରେ ଆମ୍ବଗଛରୁ କ୍ଷୁଦ୍ର କାଠ ଆସିଥାଏ  । ସେହି କାଠ ସର୍ବପ୍ରଥମେ ରଥ ନିର୍ମାଣ କାର୍ଯ୍ୟରେ ଲାଗିଥାଏ । ମାଘ ସପ୍ତମୀ ଦିନ ରାତ୍ରର ଦ୍ୱିତୀୟ ପ୍ରହରରେ ବ୍ରହ୍ମେଶ୍ୱର ପାଟଣାସ୍ଥିତ ଭାସ୍କରେଶ୍ୱର ମନ୍ଦିରରୁ ରଥମାପ ଓ ଭାସ୍କରେଶ୍ୱର ମନ୍ଦିରର ଉତ୍ତରରେ ଥିବା ରଥ ଚକଡ଼ାରୁ ରଥ ମାପ ଆଣିବାପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ  । କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭଳି ମହାପ୍ରଭୁ ଲିଙ୍ଗରାଜଙ୍କ ରଥରେ ସମ୍ପୂର୍ଣ୍ଣ ନୂଆ କାଠ ଲାଗିନଥାଏ । ଏଥିରେ ବ୍ୟବହାର କାଠ ପୂର୍ବବର୍ଷର ହୋଇଥିବା ଦେଖିବାକୁ ମିଳେ । ତେବେ ରଥର ଚକଗୁଡ଼ିକ ସମ୍ପୂର୍ଣ୍ଣ ନୂଆ ହୋଇଥିବାବେଳେ ମାଘ ସପ୍ତମୀରୁ ଚୈତ୍ର ସପ୍ତମୀ ପର୍ଯ୍ୟନ୍ତ ରଥ ନିର୍ମାଣ କରାଯାଇଥାଏ ।

Rukuna ratha yatra of Lord Lingaraj
                                                                                                @bmcbbsr

ପ୍ରତିବର୍ଷ ଚୈତ୍ରମାସ ଶୁକ୍ଲ ଅଷ୍ଟମୀ ତିଥିରେ ପାଞ୍ଚଦିନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ମାଉସୀ’ମା ମନ୍ଦିରକୁ ଯାଇଥା’ନ୍ତି  । ପୁରାଣ ଅନୁଯାୟୀ, ଏହି ରଥଯାତ୍ରା ସହିତ ଶ୍ରୀରାମଚନ୍ଦ୍ରଙ୍କ ନିଘନ ସମ୍ପର୍କ ରହିଛି  । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ବହୁ ଚେଷ୍ଟା କରି ରାବଣକୁ ଯୁଦ୍ଧରେ ପରାସ୍ତ କରିପାରୁନଥିଲେ  । ବିଭୀଷଣଙ୍କ ପରାମର୍ଶ ଅନୁଯାୟୀ ପ୍ରଭୁ ରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ ପୂଜା କରି ସନ୍ତୁଷ୍ଟ କରିଥିଲେ  । ପରେ ଚୈତ୍ର ଶୁକ୍ଲ ଅଷ୍ଟମୀ ଦିନ ପ୍ରଭୁ ରାମଚନ୍ଦ୍ର ଲଙ୍କାର ରାବଣକୁ ବଧ କରିଥିଲେ  । ବିଜୟପ୍ରାପ୍ତିର ଉତ୍ସାହରେ ରାମଚନ୍ଦ୍ର ଶିବ ଓ ଶିବଦୁର୍ଗାଙ୍କୁ ରଥରେ ବସାଇ ସେହିଦିନ ବିଜୟ ଉତ୍ସବ ପାଳନ କରିଥିଲେ  । ସେହି ବିଜୟଯାତ୍ରାର ସ୍ମାରକ ବହନ ପୂର୍ବକ ପବିତ୍ର ଅଶୋକାଷ୍ଟମୀ ତିଥିରେ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର ଓ ପାର୍ବତୀ ରଥରେ ବସି ରାମଙ୍କ ଦ୍ୱାରା ନିର୍ମିତ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥା’ନ୍ତି  ।

Rukuna ratha yatra of Lord Lingaraj
                                                                                                                           @bmcbbsr

ବାହୁଡ଼ା ଦିନ ରଥ ମହାଖଳରେ ପହଞ୍ଚିବା ପରେ ମନ୍ଦିରରୁ ପାର୍ବତୀ ଠାକୁରାଣୀ ପାଲିଙ୍କିରେ ଆସି ରଥରୁ କାଠ ଚୋରି କରନ୍ତି  । ଏହାକୁ ଦୟାଣ ଚୋରି କୁହାଯାଏ  । ମହାପ୍ରଭୁ ଭଉଣୀ ରୁକୁଣାଙ୍କୁ ନେଇ ଯାତ୍ରା କରିଥିବାରୁ ପାର୍ବତୀ ମନ୍ଦିରର ମୁଖ୍ୟଦ୍ୱାରକୁ ବନ୍ଦ ରଖନ୍ତି  । ପରେ ଦେବୀ ପାର୍ବତୀଙ୍କୁ ଶ୍ରୀଲିଙ୍ଗରାଜ ଚନ୍ଦନଯାତ୍ରାରେ ବାଇଶି ଦିନ ସଙ୍ଗରେ ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିଥାଏ  । ଏହାହିଁ ହେଉଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥର ମାହାତ୍ମ୍ୟ  ।

Rukuna ratha yatra of Lord Lingaraj
                                                                                                                     @bmcbbsr

ଚୈତ୍ର ମାସ ଶୁକ୍ଳ ଅଷ୍ଟମୀ ତିଥିରେ ଏହି ରଥଯାତ୍ରା ଅନୁଷ୍ଠିତ ହୁଏ । ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ରୁକ୍ମଣୀ ଓ ବାସୁଦେବ ରଥ ଉପରେ ବିଜେ ହୁଅନ୍ତି । ଏହା ପରେ ରଥକୁ ରାମେଶ୍ୱର ମନ୍ଦିରକୁ ଭକ୍ତ ଟାଣି ନିଅନ୍ତି । ରୁକୁଣା ରଥଯାତ୍ରା ୫ ଦିନ ବ୍ୟାପୀ ଚାଲେ । ପଞ୍ଚମ ଦିନ ଲିଙ୍ଗରାଜ ମନ୍ଦିରଙ୍କୁ ବାହୁଡ଼ି ଆସନ୍ତି ତିନି ବିଗ୍ରହ । ଏହି ରଥ ପଛକୁ ଫେରେ ନାହିଁ । ଯେଉଁଭଳି ଯାଇଥାଏ, ରଥକୁ ପୁଣି ସେହିଭଳି ଅଣାଯାଏ । ସେଥିପାଇଁ “ରୁକୁଣା ରଥ ଅଣଲେଉଟା’ ବୋଲି କୁହାଯାଏ । ବାହୁଡ଼ା ଦିନ ରଥକୁ ବୁଲାଇବା ବଦଳରେ ଦଉଡ଼ି, ଘୋଡ଼ା ଓ ବିଗ୍ରହଙ୍କ ସିଂହାସନକୁ ରଥର ବିପରୀତ ଦିଗରେ ଉପବେସନ କରାଯାଏ । ରୁକୁଣା ରଥର ଉଚ୍ଚତା ୫୦ ଫୁଟ । ଏଥିରେ ୪ ଚକ, ୨ ଓରା, ୧୬ ନାହାକା, ୫ ଦଣ୍ଡା ରହେ । ରଥର ସାରଥୀ ହେଉଛନ୍ତି ବ୍ରହ୍ମା । ରଥ ଉପରେ ୧୨ ପ୍ରକାର ପୂଜା କରାଯାଏ ।