କେନ୍ଦୁଝର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ବାସିନୀ ମାଁ ତାରିଣୀ

ଓଡ଼ିଶାର କେନ୍ଦୁଝର ଜିଲ୍ଲାର ମାଁ ତାରିଣୀ ମନ୍ଦିର ପାଇଁ ଘଟଗାଁ ବିଖ୍ୟାତ । ଘଟଗାଁ ମାଁ ତାରିଣୀପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ।

0 226

ଓଡ଼ିଶାର କେନ୍ଦୁଝର ଜିଲ୍ଲାର ମାଁ  ତାରିଣୀ ମନ୍ଦିର ପାଇଁ ଘଟଗାଁ ବିଖ୍ୟାତ । ଘଟଗାଁ ମାଁ  ତାରିଣୀପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାରେ ଆରାଧ୍ୟ ଦେବୀ ମାଁ  ତାରିଣୀଙ୍କ ପୀଠ । ମା ତାରିଣୀଙ୍କୁ ଓଡ଼ିଶାର ଅନ୍ୟତମ ଆରାଧ୍ୟା ଦେବୀ ଭାବେ ପୂଜା କରାଯାଏ । ବର୍ଷସାରା ରାଜ୍ୟ ଏବଂ ରାଜ୍ୟ ବାହାରୁ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ଭକ୍ତ ମାଁ ଙ୍କ ଦର୍ଶନ ପାଇଁ ଆସିଥାନ୍ତି । ମାଁ  ତାରିଣୀଙ୍କ ପୀଠ କେନ୍ଦୁଝର ସହର ଠାରୁ ୪୫ କି:ମି ଦୂରରେ ଅବସ୍ଥିତ ।

ମାଁ ତାରିଣୀ ହେଉଛନ୍ତି ଅଖଣ୍ଡ ବିଶ୍ୱାସ ଓ ଭକ୍ତିର ପ୍ରତୀକ । ଅନ୍ୟ ମନ୍ଦିର ଭଳି ଏଠାରେ ବ୍ରାହ୍ମଣମାନେ ପୂଜା କରନ୍ତି ନାହିଁ। ଏଠାକାର ମାଁ ଙ୍କ ପୂଜକମାନେ ଦେଉରୀ ସମ୍ପ୍ରଦାୟର ଅଟନ୍ତି । ରାଜ୍ୟର ବିଭିନ୍ନ ଶକ୍ତିପୀଠ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ରହିଛି ଏହି ପୀଠର  । ମାଁ  ଦୁର୍ଗାଙ୍କ ଅନ୍ୟ ଏକ ରୂପ ହୋଇଥିବାରୁ ଏଠାରେ ଦଶହରା ଅବସରରେ ସ୍ବତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥାଏ । କିମ୍ବଦନ୍ତୀ ଅନୁସାରେ ମାଁ ‘ ତାରିଣୀଙ୍କୁ ଗୋବିନ୍ଦ ଭଞ୍ଜ କାଞ୍ଚି ବିଜୟ କରି ଆଣିଥିଲେ । ରାଜାଙ୍କ ସହ କେନ୍ଦୁଝର ରାଜବାଟିକୁ ଆସୁଥିବା ସମୟରେ ଶାଳ ବଣ ଘେରା ବର୍ତ୍ତମାନ ପୂଜା ପାଉଥିବା ସ୍ଥାନରେ ରହି ଯାଇଥିଲେ ମାଁ  । ପରେ ଉକ୍ତ ସ୍ଥାନ ଘଟଗାଁ ଭାବେ ପରିଚିତ ହୋଇ ଥିବାବେଳେ ମା’ଙ୍କୁ ଶାଳ ବଣର ରାଣୀ ବୋଲି ମଧ୍ୟ କୁହାଯାଇଥାଏ । ମାଁ ଙ୍କ ପ୍ରିୟ ଭୋଗ ନଡିଆ ଓ ପ୍ରିୟ ଫୁଲ ହେଉଛି ନାଲି ମନ୍ଦାର । ଘଟଗାଁ ପୀଠରେ ମାଁ ‘ ତାରିଣୀଙ୍କ ପର୍ବପର୍ବାଣି ମଧ୍ୟରେ ଆଷାଢୀ, ରଜ, ପଣା ସଂକ୍ରାନ୍ତି, ନୂଆଖାଇ ଯେଉଁଥିରେ କି ମାଁ ଙ୍କୁ  ସ୍ୱତନ୍ତ୍ର ନୀତିକାନ୍ତି ସହ ପୂଜାର୍ଚ୍ଚନା କରାଯାଇଥାଏ ।

ମାଁ ‘ ତାରିଣୀ ସବୁଜ ଘନ ଅରଣ୍ୟ ମଧ୍ୟରେ ରହିଛନ୍ତି । ଦେହୁରୀ ମାନେ ମାଁ ‘ ପ୍ରତ୍ୟେହ ସକାଳୁ ରାତି ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା କରିଥାନ୍ତି ମନ୍ଦିରରେ । ଏହା ଶକ୍ତି ପୀଠ ହୋଇଥିଲେ ମଧ୍ୟ ଅନ୍ୟ ଶକ୍ତିପୀଠ ଭଳି ଏଠାରେ ନବରାତ୍ର ପୂଜା ହୋଇନଥାଏ । ଏଠାରେ ଦୂର୍ଗା ପୂଜା ସମୟରେ ଷଷ୍ଠୀ ଠାରୁ ଦଶହରା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଚଣ୍ଡୀପାଠ ହୋମଯଜ୍ଞ ସହ ପୂଜା କରାଯାଇଥାଏ । ଦଶହରା ପାଇଁ ମାଁ ଙ୍କ ପୀଠ ମଧ୍ୟରେ ମୁଣ୍ମୟ ମୂର୍ତ୍ତି ପ୍ରତିଷ୍ଠା କରି ପୂଜା କରାଯାଇଥାଏ । ଏହି ଦଶହରା ପୂଜା ସମୟରେ ଚାରିଦିନ ମାଁ ତାରିଣୀ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଥାନ୍ତି ।

 

ମାଆଙ୍କର ମୁଖ୍ୟ ପର୍ବ ହେଉଛି ପଣା ସଂକ୍ରାନ୍ତି । ସେହି ସମୟରେ ମାଁ ଙ୍କ ପାଖରେ ଲାଗିଥାଏ ଭକ୍ତଙ୍କ ଲମ୍ବା ଧାଡି । ଏହି ସମୟରେ ସେଠାରେ ଅନୁଷ୍ଠିତ ହୋଇଥାଏ ମାଁ ଙ୍କ ଚଇତି ମେଳା । ଏକ ମାସ ଧରି ଏହି ମେଳା ପାଳନ କରାଯାଏ । ସେହି ସମୟରେ ମାଙ୍କ ପାଖରେ ପୋଡ଼ପିଠା ଲାଗି ହୋଇଥାଏ । କେହି କେହି ମା’ଙ୍କୁ ନଡିଆ ରଙ୍କୁଣୀ ବୋଲି ମଧ୍ୟ ସମ୍ବୋଧିତ କରନ୍ତି । ୭ ଦିନ ଧରି ମାଁ ଙ୍କ ର ସ୍ବତନ୍ତ୍ର ନିତିକାନ୍ତି ହୋଇଥାଏ । ସ୍ଥାନିୟ ବାସିନ୍ଦା ଚୈତ୍ର ପୂର୍ଣିମାରେ ମହା ଜାକଜମକରେ ଦେବୀଙ୍କ ପୀଠରେ ମହା ବିଷୁବ ସଙ୍କ୍ରାନ୍ତି ଉତ୍ସବ ପାଳନ କରନ୍ତି । ପ୍ରବାଦରେ ଅଛି ଘଟଗାଁଠାରେ ଥିବା ମା ତାରିଣୀ ମନ୍ଦିରକୁ ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରାଇଥିଲେ ।