ଆଜି ପବିତ୍ର ସୁଦଶା ବ୍ରତ; ଜାଣନ୍ତୁ ପୂଜା ବିଧି, ମହତ୍ତ୍ୱ, ବ୍ରତ ରଖିବାର ନିୟମ

ପୌରାଣିକ ମତରେ ଏହି ବ୍ରତ ପ୍ରଥମେ ବିଧର୍ବ ଦେଶର ରାଜା ନଅଙ୍କ ପାଟରାଣୀ ଦମୟନ୍ତୀ ଆରମ୍ଭ କରିଥିଲେ । ସେହି ଦିନ ଠାରୁ ସବୁ ବିବାହିତା ନାରୀ ମାନେ ପାଳନ କରୁଛନ୍ତି ।

329

ଆଜି ସୁଦଶା ବ୍ରତ। ଓଡିଶାରେ ପରମ୍ପରା ଅନୁଯାୟୀ ଅନେକ ବ୍ରତ ପାଳନ କରାଯାଏ । ସେଥି ମଧ୍ୟରୁ ସୁଦଶା ବ୍ରତ ହେଉଛି ଅନ୍ୟତମ । ସୁଦଶା ବ୍ରତ ମହିଳା ମାନେ କଣ ପାଇଁ କରନ୍ତି ଓ ଏହାର ନିୟମ କଣ ରହିଛି ଜାଣିବା ଅତ୍ୟନ୍ତ ଆବଶ୍ୟକ।କୌଣସି ମାସର ଶୁକ୍ଳ ପକ୍ଷ ଦଶମୀ ତିଥି ଗୁରୁବାର ଦିନ ପଡେ ତେବେ ସେହି ଦିନ ସୁଦଶା ବ୍ରତ ପାଳନ କରାଯାଏ । ଏହି ଦିନ ବିବାହ ତିଥି ପଡିଲେ ଏହାକୁ ନୂଆ ସୁଦଶା ବ୍ରତ କୁହାଯାଏ । ଏହି ଦିନ ନୂଆ ବିବାହିତା ମହିଳା ମାନେ ନୂଆ ବ୍ରତ କରିଥାନ୍ତି। ପୌରାଣିକ ମତରେ ଏହି ବ୍ରତ ପ୍ରଥମେ ବିଧର୍ବ ଦେଶର ରାଜା ନଅଙ୍କ ପାଟରାଣୀ ଦମୟନ୍ତୀ ଆରମ୍ଭ କରିଥିଲେ । ସେହି ଦିନ ଠାରୁ ସବୁ ବିବାହିତା ନାରୀ ମାନେ ପାଳନ କରୁଛନ୍ତି । ପୌରାଣିକ କଥା ଅନୁସାରେ ଦିନେ ଦୀକ୍ଷା ବ୍ରାମହାନି ଜଳରୁ ପାଣି ଆଣିବା ବେଳେ ବ୍ରତ ହଜାଇ ଦେଇଥିଲେ । ବ୍ରତ ହଜି ଯିବାରୁ ବ୍ରାଂହନି କାନ୍ଦିବା ବେଳେ ନର ରାଜା ତାଙ୍କୁ ସାହାଜ୍ଯ କରିବା ପାଇଁ ନିଜ ସ୍ତ୍ରୀ ଦମୟନ୍ତୀଙ୍କ ଠାରୁ ବ୍ରତ ଆଣି ବ୍ରାଂହନିଙ୍କୁ ଦେଇଥିଲେ । ବ୍ରତ ଦେବା ପରେ ଦୁହେଁ ରାଜା ଓ ରାଣୀ ଶ୍ରୀହୀନ ହୋଇ ଯାଇଥିଲେ ।

PC : Manas Muduli

ସୁଦଶା ଶବ୍ଦର ଅର୍ଥ ହେଉଛି ସୁ ଅର୍ଥ ଶୁଭ, ଦଶାର ଅର୍ଥ ଦଶାଙ୍କ ମହତ୍ଵ । ଏହି ବ୍ରତରେ ସବୁ ପ୍ରକାର ଫଳ, ପିଠା ୧୦ ଗୋଟି ହୋଇଥାଏ ଓ ମା ଲକ୍ଷ୍ମୀଙ୍କ ନାମ ଉଚ୍ଚାରଣ କରାଯାଇ ପୂଜା କରାଯାଏ । ମହିଳା ମାନେ ୧୦ ଗୋଟି ଗଣ୍ଠି ଦେଇ ବ୍ରତ ଧାରଣ କରିଥାନ୍ତି । ନାରୀ ମାନେ ୧୦ ଗୋଟି ଗଣ୍ଠି ଧାରଣ କରିବା ସମୟରେ ୧୦ଟି ନାମ ଜପ କରିବା ଉଚିତ । ଏହି ଦିନ ସକାଳ, ମଧ୍ୟାହ୍ନ, ସନ୍ଧ୍ୟା ସମୟରେ ଭୋଗ ଲଗାଇବା ଉଚିତ । ଏହି ଭୋଗ ଘର ଲୋକଙ୍କ ଛଡା ଅନ୍ୟକୁ ଦେବା ଉଚିତ ନୁହେଁ । ହଳଦିଆ ରଙ୍ଗର ଶାଢୀ ପିନ୍ଧିବା ସହ ପାଦରେ ଅଳତା ଲଗାଇବା ଉଚିତ । ଏହି ଦିନ ଘର ଅନ୍ଧାର ରଖିବା ଅନୁଚିତ । ଏହି ଦିନ ଆମିଷ ବା ଉସୁନା ଚାଉଳ ରାନ୍ଧିବା ଅନୁଚିତ ।

PC: Manas muduli

ପୂଜା କଲାବେଳେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡା ପୂଜା କରାଯିବାର ବିଧି ରହିଛି । ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ ଉଚ୍ଚାରଣ କରାଯାଏ । ସୁମରିତ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି । ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ । ଏହି ଦିନ ସକାଳୁ ସକାଳୁ ଉଠି ସଧବା ନାରୀମାନେ ଘର ଦ୍ୱାର ଲିପା ପୋଛା କରନ୍ତି। ଘର ଦୁଆର ମୁହଁରେ ଝୋଟି ଚିତା ଆଙ୍କନ୍ତି । ସମସ୍ତ ରୀତିନୀତି ସହ ବିଭିନ୍ନ ପ୍ରକାରର ପିଠାପଣା କରି ପୂଜା ପାଠ କରିଥାନ୍ତି । ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନ, ସମ୍ପତ୍ତି, ସୁଖ ସମୃଦ୍ଧିରେ ଘର ପୁରି ଉଠେ।