ମୟୂରଭଞ୍ଜର ପ୍ରସିଦ୍ଧ ‘ମୁଢ଼ି ମାଂସ’

ନାଁ ଟିକୁ ଶୁଣିବା କ୍ଷଣି ହିଁ ଲୋକଙ୍କ ମନରେ ଆଙ୍କି ହୋଇଯାଏ ଖାସି ମାଂସର ଚିତ୍ର

246

ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିବା ଏବଂ ପରଷିଦେବାରେ ଆମ ରାଜ୍ୟ ଓଡ଼ିଶା ବେଶ୍ ପ୍ରସିଦ୍ଧ । ପୁରୀ ଅଭଡ଼ା ଠାରୁ ଆରମ୍ଭ କରି ରସଗୋଲା, ଛେନାପୋଡ଼ ଆଦି ଅନେକ ସ୍ଵାଦିଷ୍ଟ ଖାଦ୍ୟ ଦେଶ ତଥା ଦେଶ ବାହାରେ ମଧ୍ୟ ପ୍ରସିଦ୍ଧି ଅର୍ଜନ କରିପାରିଛି । ଏହା ମଧ୍ୟରେ ରହିଛି ମୟୂରଭଞ୍ଜ ଜିଲ୍ଲାର ‘ମୁଢି ମାଂସ ‘ । ନାଁ ଟିକୁ ଶୁଣିବା କ୍ଷଣି ହିଁ ଲୋକଙ୍କ ମନରେ ଆଙ୍କି ହୋଇଯାଏ ଖାସି ମାଂସର ଚିତ୍ର । ଏହି ମୁଢି ମାଂସ, ଏକ ସ୍ବତନ୍ତ୍ର ସ୍ଵାଦିଷ୍ଟ ଖାଦ୍ୟ, ଯାହାକି ଓଡ଼ିଶାର ଉତ୍ତର ଭାଗରେ ବିଶେଷ କରି ମୟୂରଭଞ୍ଜରେ ପ୍ରସିଦ୍ଧ । ଏହାକୁ ନେଇ ମୟୂରଭଞ୍ଜ ଇତିହାସରେ ବହୁ ଅବଦାନ ମଧ୍ୟ ରହିଛି । ଏହି ଖାଦ୍ୟ ସହିତ ଲୋକଙ୍କର ଭାବ ପ୍ରବଣତା ଯୋଡ଼ି ହୋଇ ରହିଛି ଏବଂ ମୟୂରଭଞ୍ଜ ବସିନ୍ଧା ମାନେ ଏହାକୁ ନେଇ ଗର୍ବ ମଧ୍ୟ କରିଥାନ୍ତି ।

Delicious Mudhi Mansa from Baripada
PC: foodgraphy- Sangram Kesari Senapati

ଉତ୍ପତ୍ତି:- ବାରିପଦା ମୁଢ଼ି ମାଂସର ବିବର୍ତ୍ତନ ଇତିହାସ ସହିତ ଜଡ଼ିତ ଅନେକ କାହାଣୀ ଅଛି । କିଛି ଲୋକ ଏହାକୁ ମୋଗଲମାନଙ୍କ ଉପହାର ଭାବରେ ଦର୍ଶାଇ ଥାଆନ୍ତି । ଅନେକଙ୍କ ମତରେ ମୟୂରଭଞ୍ଜର ରାଜା ମହାରାଜାଙ୍କର ଏହା ଦାନ ବୋଲି ମଧ୍ୟ କୁହାଯାଏ । ପ୍ରକୃତରେ ଏହା ୧୯୬୯ ମସିହାରେ ମୟୂରଭଞ୍ଜର କାର୍ତ୍ତିକ ଚନ୍ଦ୍ର ବେହେରାଙ୍କ ଦ୍ବାରା ତିଆରି ହୋଇଥିଲା । ସେହି ସମୟରେ ମାଂସକୁ ନେଇ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଥିଲା । ସବୁ ଠାରୁ ଏକ ସ୍ବତନ୍ତ୍ର ଏବଂ ଅଲଗା ରୂପେ ସେହି ମଟନ୍ କୁ ରନ୍ଧିବାର ପ୍ରଣାଳୀ ଖୋଜୁଥିଲେ କାର୍ତ୍ତିକ ଚନ୍ଦ୍ର ବେହେରା । ପ୍ରଥମେ ସେ ମାଂସ ତିଆରି କରିବାର ପଦ୍ଧତିକୁ ବଦଳାଇଲେ । ଘରେ ଥିବା ପତଳା ଗ୍ରେଭିରୁ ସେ ଏକ ମୋଟା ଗ୍ରେଭି ପାଇଁ ପ୍ରଣାଳୀ ଆରମ୍ଭ କରିବା ଇଚ୍ଛାରେ, ମାଂସର ଗୋଡ଼, ଛାତି ଏବଂ କଲିଜା ଅଂଶକୁ ବ୍ୟବହାର କଲେ । ପରେ ସେଥିରେ ନିଜ ପ୍ରସ୍ତୁତ ମସଲା ମିଶାଇ ତିଆରି କଲେ ସ୍ଵାଦିଷ୍ଟ ମୋଟା ଗ୍ରେଭି । ଏବଂ ସେହି ମାଂସ ସହିତ ସେ ପରସିଲେ ବାରିପଦାର ପ୍ରସିଦ୍ଧ ମୁଢ଼ି । ତାଙ୍କ ଦ୍ବାରା ପରିଚାଳିତ ହେଉଥିବା ଏକ ବଡ଼ ହୋଟେଲ ( ଗରମା ଗରମ ) ରେ ସେହି ମାଂସ ଗ୍ରେଭିର ଚାହିଦା ଖୁବ୍ ବଢ଼ିବାକୁ ଲାଗିଲା । ସମୟକ୍ରମେ ଦୀର୍ଘ ୫ଦଶନ୍ଧି ପରେ ମଧ୍ୟ ଏବେବି ସେହି ହୋଟେଲର ଏକ ପ୍ରସିଦ୍ଧ ସ୍ଵାଦିଷ୍ଟ ଖାଦ୍ୟ ରୁପେ ପରିଚିତ ହେଉଛି ମୁଢ଼ି ମାଂସ । ଯାହାକୁ ଏବେ ଏକ ମାଟି ପାତ୍ରରେ ମଟନ୍ ମସଲା ସହିତ ମାରିନେଟ କରି ଏକ ପାରମ୍ପାରିକ ଚୁଲିରେ ଏକ ଘଣ୍ଟା ପର୍ଯ୍ୟନ୍ତ ରାନ୍ଧି ପ୍ରସ୍ତୁତ କରାଯାଏ । ଏହାର ପ୍ରସ୍ତୁତିର ପ୍ରତ୍ୟେକ ପଦକ୍ଷେପ ଏହାର ସ୍ଵଦରେ ପରିଲକ୍ଷିତ ହୋଇଥାଏ । ମଟନ୍ ଗ୍ରେଭିରେ ତିଆରି, ପିଆଜ, କଞ୍ଚାଲଙ୍କା ଏବଂ ସତେଜ ଧନିଆ ସହିତ ମିଶ୍ରିତ ମୁଢ଼ିର ସ୍ଵାଦ ବେଶ୍ ମନଲୋଭା ହୋଇଥାଏ । ମୁଢ଼ି ଓଡ଼ିଶାର ଏକ ମୁଖ୍ୟ ଖାଦ୍ୟ । ବିଶେଷ କରି ବାରିପଦା ମୁଢ଼ି ଉତ୍ପାଦନ ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିଥାଏ । ଏହା ସମଗ୍ର ରାଜ୍ୟରେ ଜଳଖିଆ ଭାବେ ଖିଆଯାଇଥାଏ । ଯାହାକି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକୃତିକ ଏବଂ ସ୍ୱଦେଶୀ ଉପାୟରେ ପ୍ରସ୍ତୁତ କରାଯାଉଛି । ଏହାର ସର୍ବୋତ୍ତମ ରପ୍ତାନୀ ବାରିପଦାରୁ ହୋଇଥାଏ ।

Delicious Mudhi Mansa from Baripada
PC: India Food Network

ଦେଶ ତଥା ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି ମୁଢ଼ି ମାଂସର ମିଶ୍ରଣ ବ୍ୟଞ୍ଜନଟି ବେଶ୍ ଆକର୍ଷଣୀୟ କରିଥାଏ । କେବଳ ମୟୂରଭଞ୍ଜ ନୁହେଁ, ସାରା ଦେଶର ବିଭିନ୍ନ ସ୍ଥାନରେ ଏହି ଖାଦ୍ୟର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ କାର୍ଯ୍ୟକାରୀ ଥିବା ଅନେକ ସ୍ବୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ଏହି ଖାଦ୍ୟକୁ ସମଗ୍ର ଭାରତରେ ପ୍ରୋତ୍ସାହିତ କରିବାକୁ ଚେଷ୍ଟା ଜାରୀ ରଖିଛନ୍ତି ଏବଂ ରାଜ୍ୟ ସରକାର ଏହି କାର୍ଯ୍ୟରେ ସାହାଯ୍ୟ ପ୍ରଦାନ ମଧ୍ୟ କରୁଛନ୍ତି ।