ଚିଲିକା ହ୍ରଦର କିମ୍ବଦନ୍ତୀରେ ମା କାଳିଜାଇ

302

ଓଡିଶାର ପ୍ରସିଦ୍ଧ ସ୍ଥାନ ମାନଙ୍କ ମଧ୍ୟରେ ଚିଲିକା ହ୍ରଦ ଅନ୍ୟତମ । ଚିଲିକା ହ୍ରଦ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ତଳୀ ହୋଇଥିବା ବେଳେ ଏହି ହ୍ରଦରେ ଥିବା ମା କାଳିଜାଇ ମନ୍ଦିରର ଅନେକ ରହସ୍ୟ ରହିଛି । ବହୁ ପୁରାତନ କାଳରୁ ଚିଲିକା ହ୍ରଦରେ ମା କାଳିଜାଇ ପୂଜା ପାଇଆସୁଛନ୍ତି । ପ୍ରାୟ ୨୯ ଏକର ପାହାଡ଼ରେ ପରିପୂର୍ଣ ଦୀପରେ ମା କାଳିଜାଇ ବିରାଜମାନ । ବହୁ ପୁରାତନ କାଳରୁ ଲୋକକଥାରୁ ମା କାଳିଜାଇ ମନ୍ଦିର ଅନେକ କିମ୍ବଦନ୍ତୀ ଜଣାପଡେ । ମା କାଳିଜାଇ ମନ୍ଦିର ଚିଲିକା ହ୍ରଦର ଏକ ଆକର୍ଷଣ ପାଲଟିଛି । ପ୍ରତିବର୍ଷ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳେ ଚିଲିକା ହ୍ରଦର ମା କାଳିଜାଇ ମନ୍ଦିରରେ ।

ମକର ସଂକ୍ରାନ୍ତିରେ ମା ଙ୍କ ପୀଠରେ ମକର ମେଳା ଅନୁଷ୍ଠିତ ହୋଇଥାଏ । ଏହା ଲୋକ ମାନଙ୍କର ଲୋକପ୍ରିୟ ପର୍ବ ହୋଇଥିବାବେଳେ ମା କାଳିଜାଇ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । କିମ୍ବଦନ୍ତୀ କହେ କାଳୀ ଓ ଜାଇ ମା ଙ୍କର ଦୁଇ ପୃଥକ ଅଂଶ । ମା କାଳୀ ହିନ୍ଦୁ ଧର୍ମର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାବେଳେ ଜାଇ ଚିଲିକାର ବାଣପୁର ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଥିଲେ । ଲୋକକଥା ଅନୁସାରେ ଜାଇ ଅନ୍ୟ ଏକ ଦୀପ ପାରିକୁଦ କୁ ବିବାହ କରି ଗଲାବେଳେ ଗଭୀର ଗଣ୍ଡ ରେ ନିଖୋଜ ହୋଇଯାଇଥିଲା । ନିଜ ବାପା ଙ୍କ ସହ ନୌକା ରେ ଯାଉଥିବା ସମୟରେ ଆକାଶରେ ଏକ ଭୟଙ୍କର ଝଡ ହେବାରୁ ନୌକାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା । ନାବିକ ଓ ଜାଇର ବାପାଙ୍କ ଜୀବନ ବଂଚିଯାଇଥିବାବେଳେ କିନ୍ତୁ ଜାଇ ର କୌଣସି ଖୋଜଖବର ମିଳିନଥିଲା ।

kalijai-temple-the-beauty-of-chilika
PC: @shrijagannatha

ଲୋକକଥା ଅନୁସାରେ ନାବିକ ମାନେ ଚିଲିକା ହ୍ରଦ ଦେଇ ଗଲାବେଳେ ଜାଇର କାନ୍ଦିବା ସ୍ୱର ଶୁଣୁଥିଲେ ପରେ ତାଙ୍କୁ ମା କାଳିଜାଇର ଆଖ୍ୟା ଦେଇ ସ୍ମରଣ କରିବାକୁ ଲାଗିଲେ । ଐତିହାସିକ ତଥ୍ୟ ଅନୁସାରେ ମା କାଳିଜାଇ ମନ୍ଦିର ୧୭୧୭ ମସିହାରେ ପାରିକୁଦର ରାଜା ଶ୍ରୀଜଗନ୍ନାଥ ମାନସିଂହ ନିର୍ମାଣ କରିଥିଲେ ,ସେବେଠାରୁ ସେଇ ଅଂଚଳର ଅଧିଷ୍ଠାତ୍ରୀ ଦେବୀ ଭାବେ ମା କାଳିଜାଇ ପୂଜା ପାଇଆସୁଛନ୍ତି । ଏହି କାଳିଜାଇ ମନ୍ଦିର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ବେଶ ଆକର୍ଷିତ ଏବଂ ଚର୍ଚିତ ମଧ୍ୟ ।

ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ଦ୍ୱାରା ଲିଖିତ ଏକ କବିତାରେ ମା କାଳିଜାଇ ମନ୍ଦିର ନିର୍ମାଣ ବିଷୟରେ ଉଲ୍ଲେଖ ଅଛି । ସେଇଭଳି ଡ଼କ୍ଟର ରାଧାଚରଣ ପଣ୍ଡା ମଧ୍ୟ ପାରିକୁଦର ଇତିହାସରେ ଏହା ବିଷୟରେ ବର୍ଣନା କରିଛନ୍ତି । ଏହି ମନ୍ଦିରରେ ମାସର ୩୦ ଦିନରୁ ୨୧ ଦିନ ମା ପୂଜା ପାଇଥାନ୍ତି । ସନ୍ଧ୍ୟା ନଇଁବା ପର୍ଯ୍ୟନ୍ତ କେହି ମଧ୍ୟ ସେଇ ଦ୍ୱୀପରେ ରୁହନ୍ତି ନାହିଁ। ଏପରିକି ପୂଜାରୀ ,ନାଉରି ,ପର୍ଯ୍ୟଟକ ମାନେ ମଧ୍ୟ କୂଳକୁ ସନ୍ଧ୍ୟା ପୂର୍ବରୁ ଫେରି ଆସନ୍ତି । ସେଠାକାର ସ୍ଥାନୀୟ ଲୋକ କହିବା ଅନୁସାରେ ସନ୍ଧ୍ୟା ହେଲେ ମା ଙ୍କ କାନ୍ଦିବା ସ୍ୱର ମଧ୍ୟ ଶୁଣାଯାଏ ।

kalijai-temple-the-beauty-of-chilika
PC : @odisha_tourism

ମା ଙ୍କ ପୀଠ ରେ ଯେଉଁ ଭକ୍ତ ଯାହା ମାନସିକ କରିଥାନ୍ତି ତାହା ଅବଶ୍ୟ ପୁରାଣ ହୋଇଥାଏ । ଏହି ସ୍ଥାନଟି ଏତେ ଚର୍ଚାକୁ ଆସିଯାଇଛି ଯେ ଯାହାର ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଭିଡ ଜମାଇ ଥାନ୍ତି । ଶୀତଋତୁରେ ଚିଲିକା ହ୍ରଦକୁ ରଙ୍ଗ ବେରଂଗର ପକ୍ଷୀ ଆସିଥାନ୍ତି ଯାହା ଚିଲିକା ହ୍ରଦର ସୌଦର୍ଯ୍ୟ ବୃଦ୍ଧି କରିଥାଏ । ଏହି ସମୟରେ ଚିଲିକା ହ୍ରଦରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ଲୋକମାନଙ୍କ ଅନୁଭୂତି ଅନୁସାରେ ଯେତେ ବାତ୍ୟା କିମ୍ବା ଝଡତୋଫାନ ଆସିଲେ ମଧ୍ୟ ମାକାଳିଜାଇ ଙ୍କ କୃପାରୁ ମନ୍ଦିର ର କିଛି କ୍ଷୟ କ୍ଷତି ହୋଇନଥାଏ ।