ଓଡ଼ିଶାର ଉଚ୍ଚତମ ଏବଂ ପ୍ରାଚୀନ ଇଟାରେ ନିର୍ମିତ ରାଣୀପୁର ଝରିଆଲ ‘ଇନ୍ଦ୍ରଲାଠ’ ମନ୍ଦିର

ରାଣୀପୁର ଝରିଆଲର ପ୍ରସିଦ୍ଧ ତନ୍ତ୍ର ପୀଠ ଚଉଷଠି ଯୋଗିନୀ ମନ୍ଦିର ନିକଟରେ ଦଣ୍ଡାୟମାନ ରହିଛି ଲାଲ ଇଟା ରେ ନିର୍ମିତ ‘ଇନ୍ଦ୍ରଲାଠ’ ମନ୍ଦିର । ପ୍ରାୟ ୭୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରଟି ଓଡ଼ିଶାର ଉଚ୍ଚତମ ଇଟା ନିର୍ମିତ ପ୍ରାଚୀନ ମନ୍ଦିର ହୋଇଥିବା ବେଳେ ନିର୍ମାଣ ଶୈଳୀରୁ ଏହା ଦଶମ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଇଛି ।

0 347

ଓଡ଼ିଶାରେ ଅନେକ ଉତ୍କୃଷ୍ଟ ପଥର ଶିଳ୍ପ,କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟର ଜ୍ୱଳନ୍ତ ଉଦାହରଣ ରହିଛି । ତେବେ ଲାଲ ଇଟାରେ ସୁନ୍ଦର ଭାବରେ ନିର୍ମିତ  ସୁଉଚ୍ଚ ପ୍ରାଚୀନ ଶିବ ମନ୍ଦିର ବଲାଙ୍ଗୀର ଜିଲ୍ଲା ରାଣୀପୁର ଝରିଆଲ ନିକଟରେ ରହିଛି । ରାଣୀପୁର ଝରିଆଲର ପ୍ରସିଦ୍ଧ ତନ୍ତ୍ର ପୀଠ ଚଉଷଠି ଯୋଗିନୀ ମନ୍ଦିର ନିକଟରେ ଦଣ୍ଡାୟମାନ ରହିଛି ଲାଲ ଇଟା ରେ ନିର୍ମିତ ‘ଇନ୍ଦ୍ରଲାଠ’ ମନ୍ଦିର । ଏକ ଉଚ୍ଚ ପଥର ପିଣ୍ଡି ଉପରେ ଅବସ୍ଥାପିତ ଏହି ଇଟା ନିର୍ମିତ ଇନ୍ଦ୍ରଲାଠ ମନ୍ଦିର ଭାରତରେ ଥିବା ଅଳ୍ପ କେତୋଟି ଇଟାରେ ନିର୍ମିତ ପ୍ରାଚୀନତମ ମନ୍ଦିର ମଧ୍ୟରୁ ଅନ୍ୟତମ । ପ୍ରାୟ ୭୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରଟି ଓଡ଼ିଶାର ଉଚ୍ଚତମ ଇଟା ନିର୍ମିତ ପ୍ରାଚୀନ ମନ୍ଦିର ହୋଇଥିବା ବେଳେ ନିର୍ମାଣ ଶୈଳୀରୁ ଏହା ଦଶମ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଇଛି ।

Highest and Oldest Brick Temple of Odisha, Ranipur Jharial 'Indralath' temple
@Hiddenheritage

ଏହି ପୁରାତନ ଇଟା ତିଆରି ମନ୍ଦିରର ନିରୀକ୍ଷଣ ବେଳେ ପ୍ରତ୍ନତତ୍ତ୍ୱବିଦମାନେ ଏହି ମନ୍ଦିରର ନିର୍ମାଣରେ ବ୍ୟବହୃତ ଇଟାର ପ୍ରସ୍ତୁତି ସମୟରେ ମାଟି ସହିତ ଧାନର ଚଷୁ ବ୍ୟବହାର ହୋଇଥିବା ସୂଚନା ଦିଅନ୍ତି । ଅନୁମାନ କରାଯାଏ ଯେ ଜଣେ ସୋମବଂଶୀ ରାଜା ଇନ୍ଦ୍ରେଶ୍ୱରଙ୍କ ନାମ ଅନୁସାରେ ଏହି ମନ୍ଦିରର ନାମକରଣ ହୋଇଛି । ଏକଦା ଦେବରାଜ ଇନ୍ଦ୍ର ଏହି ସ୍ଥାନରେ ମହାଦେବଙ୍କ ଆରାଧନା କରିବା ସହ ତାଙ୍କ ସମ୍ମାନରେ ଏହି ମନ୍ଦିର ସ୍ଥାପନା କରିଥିଲେ ବୋଲି ସ୍ଥାନୀୟ ଲୋକକଥା ମଧ୍ୟ ରହିଛି । ସମ୍ପୂର୍ଣ୍ଣ ମନ୍ଦିରଟି ଲାଲ ରଙ୍ଗର ଇଟାରେ ବେଶ ସୁନ୍ଦର କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟ ସହିତ ନିର୍ମିତ ହୋଇଥିବା ବେଳେ ଏହାର ସମ୍ମୁଖ ଦ୍ୱାର ଚାରିପାଖ ପଥରରେ ନିର୍ମିତ ହୋଇଥିବା ଦେଖିବାକୁ ମିଳେ । ଏହି ମନ୍ଦିରର କାରୁକାର୍ଯ୍ୟ ମଧ୍ୟରେ ଉମା ମହେଶ୍ୱର, ବିଷ୍ଣୁ, ନୃସିଂହ, କାର୍ତ୍ତିକେୟ ଏବଂ ଗଣେଶଙ୍କ ପ୍ରତିମା ରହିଥିବାରୁ ଏହା ଏକଦା ହରିହର ଆରାଧନା ପୀଠ ରହିଥିବା ମନେ କରାଯାଉଛି ।

Highest and Oldest Brick Temple of Odisha, Ranipur Jharial 'Indralath' temple
@ChinmayaMeher18

ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ସଂରକ୍ଷଣରେ ରହିଥିବା ଇନ୍ଦ୍ରଲାଠ ମନ୍ଦିରକୁ ନେଇ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଡାକଟିକଟ ପ୍ରଚଳନ କରାଯାଇଥିବା ଏହା ଭାରତୀୟ ସଂସ୍କୃତି ର ଅଲଗା ପରିଚୟ କହିଲେ ମଧ୍ୟ ଭୁଲ ହେବ ନାହିଁ । ଦେଶର ବିଭିନ୍ନ ପ୍ରାନ୍ତରୁ ବାର୍ଷିକ ହଜାର ହଜାର ପର୍ଯ୍ୟଟକ ଓ ଭକ୍ତମାନେ ଭ୍ରମଣରେ ଆସିଥାନ୍ତି ଏଠାକୁ  । ଏଠାକାର ମାଧୁରୀ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ପ୍ରତି ପର୍ଯ୍ୟଟକମାନେ ଆକୃଷ୍ଟ ହୋଇଥାନ୍ତି ।