ଓଡ଼ିଶାର କଣ୍ଟିଲୋଠାରେ ଅବସ୍ଥିତ ତ୍ରିବେଣୀ ସଙ୍ଗମ

ନୟାଗଡ଼ ଜିଲ୍ଲାରେ ପୁରାଣ ପ୍ରସିଦ୍ଧ କଣ୍ଟିଲୋ ନୀଳମାଧବ ମନ୍ଦିର ଅବସ୍ଥିତ । ନୀଳମାଧବଙ୍କ ମନ୍ଦିର ବେଢ଼ାର ପାହାଚ ଗୁଡିକ ନଦୀ କୂଳକୁ ଲମ୍ବି ଯାଇଛି । ସେହିଠାରେ ଚିତ୍ରୋତ୍ପଳା, କୁସୁମି ଆଉ କୁଆଁରିଆ ନଦୀର ମିଳନ ଘଟିଛି । ଯାହାକୁ ଓଡ଼ିଶାର ତ୍ରିବେଣୀ ସଙ୍ଗମ ବୋଲି କୁହାଯାଏ।

0 351

ଭାରତର ପ୍ରୟାଗରାଜଠାରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନାମକ ୩ଟି ପ୍ରମୁଖ ନଦୀର ସଙ୍ଗମ ସ୍ଥଳକୁ ତ୍ରିବେଣୀ ସଙ୍ଗମ ବୋଲି କୁହାଯାଏ । ଯେଉଁଠାରେ ଅନୁଷ୍ଠିତ ହୋଇଥାଏ ବିଶ୍ୱପ୍ରସିଦ୍ଧ କୁମ୍ଭମେଳା । ବିଶ୍ୱାସ ରହିଛି ଯେ ଏହି ସଙ୍ଗମ ସ୍ଥଳରେ ସ୍ନାନ କରୁଥିବା ବ୍ୟକ୍ତିର ମୋକ୍ଷ ପ୍ରାପ୍ତି ହୋଇଥାଏ । ସେହିପରି ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ମଧ୍ୟ ଅନୁରୂପ ତ୍ରିବେଣୀ ସଙ୍ଗମ ସ୍ଥଳ ରହିଛି । ଅନେକ ଐତିହାସିକ ଘଟଣାର ମୁକସାଖି ହେଉଛି ନୟାଗଡ଼ ଜିଲ୍ଲା । ଏବେବି ନୟାଗଡ଼ ସହର ମୁଣ୍ଡରେ ରୁଖି ଏବଂ ବଳରାମ ନାମକ ଦୁଇ ପାହାଡ଼ ଦ୍ୱାରପାଳ ଭାବେ ଠିଆହୋଇଛନ୍ତି। ଏହି ଜିଲ୍ଲାରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଅନେକ ପର୍ଯ୍ୟଟନ ସ୍ଥଳୀ ଏବଂ ମନ୍ଦିର ମଧ୍ୟ ରହିଛି । ପୁରାଣ ପ୍ରସିଦ୍ଧ କଣ୍ଟିଲୋ ନୀଳମାଧବ ମନ୍ଦିର ମଧ୍ୟ ଏଠାରେ ଅବସ୍ଥିତ । ଏହି ପ୍ରସିଦ୍ଧ ମନ୍ଦିର ଗୋଟିଏ ଛୋଟିଆ ମୁଣ୍ଡିଆ ବ୍ରହ୍ମାଦ୍ରୀ ପର୍ବତ ଉପରେ ରହିଛି ।

Triveni Sangam in Odisha is located near Kantilo
@Udayan_Sarathi

କିମ୍ବଦନ୍ତୀ କହେ, ପୁରୀ ବଡ଼ଦେଉଳର ଶ୍ରୀ ଜଗନ୍ନାଥଙ୍କ ସେବା ନୀତି ଯେଉଁଭଳି ହୁଏ, ନୀଳମାଧବଙ୍କ ନିକଟରେ ମଧ୍ୟ ଠିକ୍‌ ସେହିପରି ନୀତିକାନ୍ତି ହୋଇଥାଏ । ଶ୍ରୀକ୍ଷେତ୍ରର ବଡ଼ ଦୁଆର ପରି ଏହି ମନ୍ଦିରରେ ମଧ୍ୟ ଚାରିଟି ଦ୍ୱାର ଥିବା ସହିତ ବାଇଶି ପାହାଚ ମଧ୍ୟ ରହିଛି । ମନ୍ଦିର ବେଢ଼ାରେ ନୀଳମାଧବଙ୍କ ସହ ମା ଲକ୍ଷ୍ମୀ, ସିଦ୍ଧେଶ୍ୱର ମହାଦେବ ଏବଂ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ମଧ୍ୟ ରହିଛି । ଏଠାରେ ଶ୍ରୀ ନୀଳମାଧବଙ୍କ ବିଗ୍ରହ ଇନ୍ଦ୍ରନୀଳ ପଥରରେ ତିଆରି ହୋଇଥିବା ଦେଖିବାକୁ ମିଳେ । ଏହି ମନ୍ଦିରର ଏକ ଆଶ୍ଚର୍ଯ୍ୟର କଥା ହେଉଛି, ଏଠାରେ ଥିବା ଶ୍ରୀ ନୀଳମାଧବଙ୍କ ବିଗ୍ରହର ପାଦଦେଶରୁ ସବୁବେଳେ ପାଣି ଝରୁଥାଏ । ସ୍ଥାନୀୟ ଗବେଷକଙ୍କ ମତ ଅନୁସାରେ, ବିଗ୍ରହଙ୍କ ପଥରରେ ଏମୋନାଇଟ୍‌ ନାମକ ଏକ ଜୀବାଶ୍ମ ଥିବାରୁ ଏଥିରୁ ଅନବରତ ପାଣି ଝରିଥାଏ ।

Triveni Sangam in Odisha is located near Kantilo
                                                                          @Ashutos_Parida

କଣ୍ଟିଲୋ ନୀଳମାଧବଙ୍କ ମନ୍ଦିର ବେଢ଼ାର ପାହାଚ ଗୁଡିକ ନଦୀ କୂଳକୁ ଲମ୍ବି ଯାଇଛି। ଆଉ ସେହି ପାହାଚ ଅତିକ୍ରମ କରି ତଳକୁ ଗଲେ ଆପଣ ଦେଖିପାରିବେ ପ୍ରକୃତିର ଅତି ସୁନ୍ଦର ମନୋରମ ଦୃଶ୍ୟ । ସେହିଠାରେ ଚିତ୍ରୋତ୍ପଳା, କୁସୁମି ଆଉ କୁଆଁରିଆ ନଦୀର ମିଳନ ଘଟିଛି । ଯାହାକୁ   ଓଡ଼ିଶାର ତ୍ରିବେଣୀ ସଙ୍ଗମ ବୋଲି କୁହାଯାଏ। ସାଧାରଣରେ ବିଶ୍ୱାସ ରହିଛି ଯେ ଏଠାରେ ସ୍ନାନ କଲେ ଅନେକ ଆସାଧ୍ୟ ରୋଗ ଭଲ ହେବା ସହ ପ୍ରଭୁଙ୍କ ଆଶିଷ ଲାଭ ହୋଇଥାଏ ।

Triveni Sangam in Odisha is located near Kantilo
                                                                                                        @Bagulia17190456

ଭୁବନେଶ୍ୱରଠାରୁ ନୟାଗଡ଼ର ଦୂରତା ୮୦ କି.ମି ଥିବାବେଳେ ନୟାଗଡ଼ ସଦର ମହକୁମାଠାରୁ ଏହି ସ୍ଥାନକୁ ଯିବାକୁ ହେଲେ ମାତ୍ର ୪୪ କି.ମି. ଅତିକ୍ରମ କରିବାକୁ ପଡିବ । ବନଜଙ୍ଗଲ ଓ ନଦୀନାଳରେ ସ୍ଥାନଟି ଭରି ରହିଥିବାରୁ ପର୍ଯ୍ୟଟନ ୠତୁ ଆସିଲା ମାତ୍ରକେ ଏଠାରେ ହଜାର ହାଜର ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ । ପ୍ରଭୁଙ୍କ ଦର୍ଶନସହିତ ତ୍ରିବେଣୀ ସଙ୍ଗମରେ ସ୍ନାନ ଏବଂ ସାଙ୍ଗକୁ ଏଠାରେ ଥିବା ମନୋରମ ପରିବେଶରେ ଭୋଜି କରିବାର ସୁବିଧା ଥବାରୁ ସବୁ ବୟସର ଲୋକ ଏହି ସ୍ଥାନକୁ ବେଶ ପସନ୍ଦ କରିଥାନ୍ତି ।