ପାଟଣାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ
ପାଟଣାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜା ପାଉଛନ୍ତି ମାଆ ପାଟଣେଶ୍ବରୀ । ମନ୍ଦିର ପାଇଁ ଖ୍ୟାତି ଅର୍ଜନ କରି ପାରିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିବେଷ୍ଟିତ ଏହି ଆଧୁନିକ ପାଟଣାଗଡ଼ ।
ଓଡିଶାର ପଶ୍ଚିମପ୍ରାନ୍ତରେ ଏକ ସୁନ୍ଦର ପରିବେଶ ମଧ୍ୟରେ ରହିଛି ଇତିହାସ ଓ ସଂସ୍କୃତିରେ ଭରପୁର ବଲାଙ୍ଗୀର ଜିଲ୍ଲା । ଆଉ ଏହାର ଠିକ ପଶ୍ଚିମକୁ ୪୦ କିମି ଦୂରରେ ରହିଛି ପାଟଣାଗଡ଼ । ପ୍ରାଚୀନ କାଳରୁ ମାଁ ପାଟଣେଶ୍ବରୀ ଦେବୀ ଉଭୟ ପୁରାତନ ଓ ଆଧୁନିକ ପାଟଣାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜା ପାଇ ଆସୁଛନ୍ତି । ମନ୍ଦିର ପାଇଁ ଖ୍ୟାତି ଅର୍ଜନ କରି ପାରିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିବେଷ୍ଟିତ ଏହି ଆଧୁନିକ ପାଟଣାଗଡ଼ । ଶକ୍ତି ସ୍ୱରୁପିଣୀ ମାଁ ମହମାୟାଙ୍କ ଆଉ ଏକ ରୂପ ହେଉଛି ମା’ ପାଟଣେଶ୍ୱରୀ ।ତେବେ ଏଠି ବସବାସ କରୁଥିବା ଲୋକଙ୍କର ବିଶ୍ବାସ ରହିଛି ଭକ୍ତଙ୍କ ମନସ୍କାମନା ପୂରଣ ହେବା ସହ ମାଁ ବାହ୍ୟ ଶତ୍ରୁଙ୍କଠାରୁ ଏହି ଅଞ୍ଚଳକୁ ରକ୍ଷା କରି ଆସୁଛନ୍ତି । ବିଶେଷ କରି ଦଶହରା ମାସରେ ତାଙ୍କର ସ୍ବତନ୍ତ୍ର ପୂଜା ଅର୍ଚ୍ଚନା କରାଯାଉ ଥିବା ବେଳେ ତାଙ୍କ ଦର୍ଶନ ପାଇଁ ବହୁ ଦୂରଦୁରାନ୍ତରରୁ ଛୁଟିଥାଏ ଭକ୍ତଙ୍କ ସୁଅ । ବଲାଙ୍ଗୀରର ଇଷ୍ଟ ଦେବୀ ମାଁ ’ ପାଟଣେଶ୍ୱରୀ ଆବାହମାନ କାଳରୁ ଏଠାରେ ବିରାଜମାନ ଅଛନ୍ତି। ତେବେ ତାଙ୍କୁ ଦୁଃଖ ହାରିଣୀ, ସଙ୍କଟ ମୋଚନୀ କୁହାଯାଉଥିବା ବେଳେ ଲୋକଙ୍କର ତାଙ୍କ ଉପରେ ଗଭୀର ଶ୍ରଦ୍ଧା ଓ ଭକ୍ତି ମଧ୍ୟ ରହିଛି। ବିଶେଷ କରି ଦଶହରା ମାସରେ ତାଙ୍କର ସ୍ୱତନ୍ତ୍ର ପୂଜା କରାଯାଉଥିବା ବେଳେ ସେହି ସମୟରେ ଅଧିକ ଗହଳି ହୋଇଥାଏ ମନ୍ଦିରରେ । ତେବେ ଦଶହରା ମାସ ଆରମ୍ଭ ହେବା ପୂର୍ବରୁ ମୂଳାଷ୍ଟମୀ ଦିନଠୁ ମା ପାଟଣେଶ୍ୱରୀଙ୍କ ପୂଜା ନୀତି ଆରମ୍ଭ ହୋଇଥାଏ। ଯେଉଁଥିରେ ପ୍ରତ୍ୟେହ ସନ୍ଧ୍ୟାରେ ତାଙ୍କର ବିଶେଷ ଆଳତୀ କରାଯାଉଥିବା ବେଳେ ଧୂପ ନଡ଼ିଆ ଇତ୍ୟାଦିରେ ସେ ପୂଜା ପାଇଥାନ୍ତି ।
ସେହିପରି ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦା ଦିନ ସେ ବରୁଆ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ଥାଆନ୍ତି । ସମାନ ଭାବରେ ଆଶ୍ୱିନ ଶୁକ୍ଲପକ୍ଷ ନବମୀ ଦିନରେ ସେ ନଗର ପରିକ୍ରମା କରିଥାନ୍ତି , ଯାହାକୁ ବଏଲ ଯାତ୍ରା ବୋଲି କୁହାଯାଇଥାଏ। ଏହି ଯାତ୍ରାରେ ମାଁ ପାଟଣେଶ୍ୱରୀ ନଗର ପରିକ୍ରମା କରିବା ସହ ସହରର ଚାରି ଦିଗକୁ ବୁଲି ଥାଆନ୍ତି । ଯାହା ପାଇଁ ରାଜା ପରିବାରର ପାଟ ଖଣ୍ଡା ସେ ବ୍ୟବହାର କରିଥାନ୍ତି। ମାଁଙ୍କ ଏହି ପୀଠକୁ ତନ୍ତ୍ର ମନ୍ତ୍ରର ପୀଠ ବୋଲି ମଧ୍ୟ କାହାଯାଏ । ଏପଟେ ମାଙ୍କର ପୂଜା ପାଇଁ ସ୍ୱତନ୍ତ୍ର ତନ୍ତ୍ର ମନ୍ତ୍ର ରହିଥିବା ବେଳେ ସ୍ୱତନ୍ତ୍ର ରୀତି ଓ ନୀତିରେ ତାଙ୍କରି ପୂଜା କରା ଯାଇଥାଏ। ଦଶହରା ସମୟ ମହାଳୟା ତିଥିରେ ମା ପାଟଣେଶ୍ବରୀଙ୍କ ମନ୍ଦିରକୁ ମାଁ’ ସମଲେଇଙ୍କୁ ନିମତ୍ରିତ କରାଯାଇଥାଏ। ଏହି ସମୟରେ ମା’ ଙ୍କୁ ନୂଆ ବସ୍ତ୍ର ଓ ଆଭୂଷଣରେ ସଜ୍ଜିତ କରାଯାଇ ତାଙ୍କର ଷୋଡଶ ପୂଜା କରାଯାଏ।
ତେବେ ପୂର୍ବରୁ ବଲାଙ୍ଗୀରର ପାଟଣାଗଡ଼, ପାଟଣା ରାଜ୍ୟର ରାଜଧାନୀ ଥିଲା ଲୋକକଥା ଏବଂ ଇତିହାସକାରଙ୍କ ଗବେଷଣା ଅନୁଯାୟୀ ୨୦୦୦ ବର୍ଷ ପୂର୍ବେ ଅର୍ଥାତ ଖ୍ରୀଷ୍ଟ ପୂର୍ବ ୫୪ ରେ ଏଠାକାର ପତନଗଡ଼ ଯାହା ବର୍ତ୍ତମାନ ପଟଣାଗଡ଼ ହୋଇଛି, ତାର ରାଜା ମାଧବ ଚନ୍ଦ୍ର ଦେଓ, ଆତଙ୍କ ଖେଳାଇଥିବା ଗଣ୍ଡାକି ମାରିବା ପାଇଁ ବୁଢ଼ୀ କୁଢ଼େର ଜଙ୍ଗଲ ଯାଇଥିଲେ। ସେହି ସମୟରେ ଜଙ୍ଗଲରେ ସେ ଥକି ଯାଇ ଏକ ଗଛ ମୂଳେ ଆଶ୍ରୟ ନେଉଥିବା ବେଳେ ତାଙ୍କ ସମ୍ମୁଖରେ ମା’ ବନ ଦୁର୍ଗା ପ୍ରକଟ ହୋଇଥିଲେ। ତେବେ ରାଜା ତାଙ୍କୁ ତାଙ୍କ ଗଡରେ ବିରାଜମାନ ହୋଇ ଶତ୍ରୁ ନାଶ କରିବାକୁ ପ୍ରାର୍ଥନା କରିଥିଲେ । ସେହିଦିନଠାରୁ ବନ ଦୁର୍ଗାଙ୍କୁ ଏଠି ସ୍ଥାପିତ କରା ଯାଇଥିଲା ଏବଂ ସେହି ଦିନଠାରୁ ସେ ପାଟଣେଶ୍ୱରୀ ରୂପରେ ଏଠି ଦକ୍ଷିଣ ମୁହାଁ ମହିଷାମର୍ଦ୍ଦିନୀ ବେଶରେ ପୂଜା ପାଇ ଆସୁଛନ୍ତି ।