ଶବର ପ୍ରେମର ପ୍ରତୀକ – କୋରାପୁଟ ଶାବର ଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶବର ପ୍ରେମର ପ୍ରତୀକ ସ୍ଵରୂପ କୋରାପୁଟରେ ଗଢ଼ି ଉଠିଛି ଶ୍ରୀ ଜଗନ୍ନାଥ ମନ୍ଦିର । ପ୍ରଥମେ ଶବରମାନେ ମହାପ୍ରଭୁଙ୍କ ମୁଖ୍ୟ ପୁଜା କରିବା ପରେ ପଣ୍ଡାମାନେ ପରବର୍ତୀ ଦାୟୀତ୍ୱ ତୁଲାଇଥାନ୍ତି ।

0 283

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶବର ପ୍ରେମର ପ୍ରତୀକ ସ୍ଵରୂପ କୋରାପୁଟରେ ଗଢ଼ି ଉଠିଛି ଶ୍ରୀ ଜଗନ୍ନାଥ ମନ୍ଦିର । କୋରାପୁଟର ଏହି ଜଗନ୍ନାଥ ମନ୍ଦିର ଶାବର ଶ୍ରୀକ୍ଷେତ୍ର ନାମରେ ପରିଚିତ । ‘ଶାବର ଶ୍ରୀକ୍ଷେତ୍ର’ ଭାବରେ ପରିଚିତ ଏହି ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଜୀଉଙ୍କ ଆଦିପୂଜକ ସଉରାମାନଙ୍କ ଇଷ୍ଟଦେବ ମାଭାରତ୍ନମ୍’ଙ୍କ ପୀଠ ରହିଛି । ଶାବର ଶ୍ରୀକ୍ଷେତ୍ରର ଚକବନରେ ଏହି ପୀଠ ରହିଛି ଓ ଏଠାରେ ସ୍ୱତନ୍ତ୍ର ସଉରା ପରମ୍ପରାରେ ପୂଜା କରାଯାଏ ।  ଏଠାରେ ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ପୂଜା ପାଆନ୍ତି କାଳିଆ ଠାକୁର । ସବୁଠାରୁ ବଡ କଥା ହେଉଛି ପ୍ରଥମେ ଶବରମାନେ ମହାପ୍ରଭୁଙ୍କ ମୁଖ୍ୟ ପୁଜା କରିବା ପରେ ପଣ୍ଡାମାନେ ପରବର୍ତୀ ଦାୟୀତ୍ୱ ତୁଲାଇଥାନ୍ତି । ଆଉ ଏଠାରେ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ଆଦିବାସୀ ସମ୍ପ୍ରଦାୟର ଦଇତାପତିମାନେ ସଂପାଦନ କରିଥାନ୍ତି ।

 

Jagannath Temple Sabara Sikhetra In Koraput
@OdishaTrails

ବେଢ଼ାକୁ ପ୍ରବେଶ ପୂର୍ବରୁ ସଉରାଙ୍କ ଇଷ୍ଟଦେବଙ୍କ ମନ୍ଦିର ରହିଛି ଦ୍ବିତୀୟ,  ବେଢ଼ା ପାହାଚରେ ପ୍ରଥମେ ଶ୍ରୀଶବରେଶ୍ଵରଙ୍କ ଦର୍ଶନ କରି ହେବ । ଏହି ସବୁ ମନ୍ଦିର ଦର୍ଶନ ପରେ ବାଇଶିପାହାଚ ଅତିକ୍ରମ କଲାପରେ ଗରୁଡ଼ସ୍ତମ୍ଭ ରହିଛି ।  ମନ୍ଦିର ମାନଙ୍କରେ ଶ୍ରୀମହାଜୀଉ, ଶ୍ରୀଗଣେଶ, ଶ୍ରୀସୂର୍ଯ୍ୟଦେବ, ଶ୍ରୀଲକ୍ଷ୍ମୀ ନୃସିଂହ, ଶ୍ରୀବିମଳା, ଶ୍ରୀ ସରସ୍ୱତୀ, ପତର ସଉରୁଣୀ, ଶ୍ରୀଲକ୍ଷ୍ମୀ ଓ ନବଗ୍ରହଙ୍କ ଦର୍ଶନ ପରେ ମୁଖ୍ୟ ମନ୍ଦିର ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ସୁଦର୍ଶନଙ୍କୁ ଦିବ୍ୟ ଦର୍ଶନର ସାନିଧ୍ୟ ମିଳିଥାଏ । ଏବେ ଶାବର ଦେବତା ବନବାସୀଙ୍କ ସଂସ୍କୃତି ଗବେଷଣାକୁ ଆଗେଇ ନେବା ପାଇଁ ଏଠାରେ ଗଢ଼ି ଉଠିଛି ‘ ଆଦିବାସୀ ସଂଗ୍ରହାଳୟ’ । ତେଣୁ ଭକ୍ତ ଶାବର ଶ୍ରୀକ୍ଷେତ୍ର ଦର୍ଶନରେ ଶ୍ରୀଜଗନ୍ନାଥ ଚେତନାରେ ଉଦ୍‌ବୁଦ୍ଧ ହେବାର ସୁଯୋଗ ପାଇଥାଏ ।

 

Jagannath Temple Sabara Sikhetra In Koraput
@SangitaSethy

ଅଣସରରେ ହେଉ କିମ୍ବା ରଥଯାତ୍ରା ସମୟରେ ତିନି ଠାକୁରଙ୍କ ଗୁଣ୍ଡିଚା ମନ୍ଦିରରେ ଆସ୍ଥାନ ସମୟରେ ହେଉ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ । ପରମ୍ପରା ଅନୁସାରେ ଶାବର ଶ୍ରୀକ୍ଷେତ୍ରରେ ପ୍ରଥମେ ଶବରମାନେ ଆଣି ଥିବା ଫୁଲ ଓ ଫଳ ମହାପ୍ରଭୁଙ୍କ ପାଖରେ ଲାଗି କରାଯାଏ । ପରେ ଅନ୍ୟ ଶ୍ରଦ୍ଧାଳୁଙ୍କ ଭୋଗ ପୂଜା କରିଥାନ୍ତି ପୂଜା ପଣ୍ଡା । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥରେ ଠାକୁର ରାଜା ଛେରାପହଁରା କରିବାର ପରମ୍ପରା ଥିବା ବେଳେ ଏଠାରେ ଆଦିବାସୀ ନାୟକ ଛେରାପହଁରା କରିଥାନ୍ତି । ସାବର ଶ୍ରୀକ୍ଷେତ୍ରରେ ପହଞ୍ଚିବା ପାଇଁ ଆନ୍ଧ୍ରପ୍ରଦେଶ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରୁ ଗମନାଗମନ ସୁବିଧା ମଧ୍ୟ ରହିଛି । କୋରାପୁଟ ସହରରେ ପହଞ୍ଚି ଯାତ୍ରୀ ରହିବା ପାଇଁ ସୁଲଭ ମୂଲ୍ୟରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଦ୍ଵାରା ନିର୍ମିତ ଅତିଥି ଭବନରେ ରହିପରିବେ ।