ନୟାଗଡ଼ର ପ୍ରସିଦ୍ଧ ‘ଛେନାପୋଡ଼’

ଏକ ନିଆରା ସ୍ଵାଦ ବିଶିଷ୍ଟ ଏହି ସୁସ୍ୱାଦୁ ବ୍ୟଞ୍ଜନ ଛେନାପୋଡ଼, କେବଳ ରାଜ୍ୟ ନୁହେଁ ଦେଶ ତଥା ଦେଶ ବାହାରେ ମଧ୍ୟ ବେଶ୍ ପ୍ରସିଦ୍ଧି ଅର୍ଜନ କରିପାରିଛି ।

207

‘ଓଡ଼ିଶା’ କେଡ଼େ ସୁନ୍ଦର ରାଇଜ ମୋର କେଡ଼େ ମିଠା ମୋ ଭାଷା । ସୁନ୍ଦର ରାଇଜ ଏବଂ ମିଠା ଭାଷା ପରି ଆମ ଖାଦ୍ୟ ଏବଂ ପରମ୍ପରା ମଧ୍ୟ ବେଶ୍ ଆକର୍ଷଣୀୟ । ବାର ମାସରେ ତେର ପର୍ବ ପରି ଭଳିକି ଭଳି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବା ପ୍ରିୟ ଆମ ଓଡ଼ିଶା ବାସୀ । ଜଗତର ନାଥ ମହାପ୍ରଭୁ ଜଗନ୍ନାଥ ଯେପରି ଖାଦ୍ୟ ପ୍ରିୟ ହୋଇଥାନ୍ତି, ଠିକ୍ ସେହିପରି ଓଡ଼ିଶାର ଲୋକମାନେ ମଧ୍ୟ ନାନା ପ୍ରକାରର ଖାଦ୍ୟ ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି । ଖାଇବା ଏବଂ ଖୁଆଇବାରେ ଆମ ଓଡ଼ିଆଙ୍କ ପରି ଆଉ କେହି ନୁହଁନ୍ତି । ରାଜ୍ୟର ୩୦ଟି ଜିଲ୍ଲାରେ ଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ, ଯାହାର ମହମହ ବାସ୍ନା ଦେଶ ବିଦେଶରୁ ମଧ୍ୟ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ସେହି ଆକର୍ଷଣୀୟ ଖାଦ୍ୟ ମଧ୍ୟରେ ରହିଛି ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼ । ନାଁ ଟି ଶୁଣିବାକୁ ଯେତେ ସୁନ୍ଦର ଏବଂ ମିଠା, ତାହାକୁ ଦେଖିଲେ ବା ଖାଇଲେ ଠିକ୍ ସେହିପରି ଅନୁଭୂତି ହୋଇଥାଏ । ଏକ ନିଆରା ସ୍ଵାଦ ବିଶିଷ୍ଟ ଏହି ସୁସ୍ୱାଦୁ ବ୍ୟଞ୍ଜନ ଛେନାପୋଡ଼, କେବଳ ରାଜ୍ୟ ନୁହେଁ ଦେଶ ତଥା ଦେଶ ବାହାରେ ମଧ୍ୟ ବେଶ୍ ପ୍ରସିଦ୍ଧି ଅର୍ଜନ କରିପାରିଛି ।

ଉତ୍ପତ୍ତି:-
ଛେନାପୋଡ଼ ପ୍ରଥମେ ନୟାଗଡ଼ ଜିଲ୍ଲାର ଦଶପଲ୍ଲାରୁ ପ୍ରସ୍ତୁତ ହୋଇଥିଲା । ୧୯୪୬ ମସିହାରେ ଏହାକୁ ପ୍ରଥମେ ସୁଦର୍ଶନ ସାହୁ ନାମକ ଏକ ମିଠା ବ୍ୟବସାୟୀ ପ୍ରସ୍ତୁତ କରିଥିଲେ । ଦଶପଲା ସତପାଟଣା ଗ୍ରାମରେ ତାଙ୍କର ଏକ ଛୋଟ ଜଳଖିଆ ଦୋକାନ ରହିଥିଲା । ଦୋକାନରେ ପ୍ରତିଦିନ ସେ, ଛେନାରୁ ମିଠା ପ୍ରସ୍ତୁତ କରୁଥିଲେ । ବଳକା ରହିଯାଉଥିବା ଛେନାକୁ ଉପଯୋଗ କରିବାର ଇଚ୍ଛାରେ ସେଥିରେ ଚିନି ଦେଇ ଏକ ମାଟି ଚୁଲି ଉପରେ ସାରା ରାତି ଛାଡ଼ି ଦେଇଥିଲେ । ଯାହାକି ପରଦିନ ସକାଳୁ ଏକ ସୁସ୍ୱାଦୁ ପୋଡ଼ ଆକାରରେ ପ୍ରସ୍ତୁତ ହୋଇଯାଇଥିଲା । ପ୍ରାଥମିକ ସ୍ତରରେ କଠିନ ପ୍ରସ୍ତୁତ ହେଉଥିବା ଏହି ପୋଡରେ ସମୟକ୍ରମେ କାଜୁ, ସୁଜି, କିସମିସ ଆଦି ମିଶାଇ ଏହାକୁ ନରମ କରିବାକୁ ଚେଷ୍ଟା କରିଥିଲେ । ଶେଷରେ ସେହି ପୋଡ଼ ସୁନ୍ଦର ଆକାରରେ ପ୍ରସ୍ତୁତ ହୋଇଥିଲା ଏବଂ ସୁଦର୍ଶନ ସାହୁ ତାର ନାମ ରଖିଥିଲେ ଛେନାପୋଡ଼ । ସେହି ଦିନଠାରୁ ସେ ହୋଇଗଲେ ଛେନାପୋଡ଼ର ସ୍ରଷ୍ଟା । ଧିରେ ଧିରେ ଏହାର ଚାହିଦା ବଢିବା ସହିତ ଲୋକମାନେ ଏହାକୁ ଖାଇବାକୁ ପସନ୍ଦ ମଧ୍ୟ କଲେ । ୧୯୯୨ ମସିହାରେ ପୁରୀ ଜିଲ୍ଲାରୁ ବିଭାଜିତ ହୋଇ ନୟାଗଡ଼ ଜିଲ୍ଲାର ମାନ୍ୟତା ପାଇବା ସମୟରେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ, ଜିଲ୍ଲାର ଅନ୍ୟତମ ପରିଚୟ ଛେନାପୋଡ଼ ରଖିଥିଲେ ।

ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଏକ ପାତ୍ରରେ ଗରମ ଘିଅ ବା ତେଲ ମାରି, ତା ଉପରେ କଦଳୀ ପତ୍ର କିମ୍ବା ଶାଳପତ୍ର ଦିଆଯାଇ ରଖାଯାଏ । ଅପରପାର୍ଶ୍ଵରେ ଆଉ ଏକ ପାତ୍ରରେ ଛେନାରେ ଚିନୀ, ସୁଜି, ଗୁଜୁରାତି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କାଜୁ ଓ ଖିସମିସ ଦିଆଯାଇ ତାକୁ ଭଲ ଭାବେ ଫେଣ୍ଟା ଯାଇଥାଏ । ମିଶ୍ରଣକୁ ପରେ ଘିଅ ପାତ୍ରରେ ଢାଳି ତା ଉପରେ ଆଉ ଏକ ଶାଳପତ୍ର ଦିଆଯାଇଥାଏ । ପାତ୍ର ଉପରେ ଏକ ଢାଙ୍କୁଣିକୁ ଭଲ ଭାବେ କଭର କରି ନିଆଁ ବା ଚୁଲି ଉପରେ ବସାଯାଏ । ପାଖାପାଖି ୨ ରୁ ୩ ଘଣ୍ଟା ସେହି ନିଆଁ ଉପରେ ବସିଲା ପରେ, ପ୍ରସ୍ତୁତ ହୋଇଥାଏ ଛେନାପୋଡ଼ । କାଠ, କୋଇଲା ନିଆଁ ହେଲେ ଭଲ ଭାବେ ଏହା ପ୍ରସ୍ତୁତ ହୋଇଥାଏ ଏବଂ ଏହାର ଭଲ ସ୍ଵାଦ ମଧ୍ୟ ଆସିଥାଏ ।

ନୟାଗଡ଼ ଛେନାପୋଡ଼କୁ ନିଜ ନିଜ ସକ୍ଷମ ମୁତାବକ ପ୍ରସ୍ତୁତ କରି ରାଜ୍ୟର ବହୁ ବ୍ୟବସାୟୀ ଗୁଜୁରାଣ ମେଣ୍ଟାଇବା ସହିତ ନିଜ ପରିବାରର ଭରଣ ପୋଷଣ ମଧ୍ୟ କରୁଛନ୍ତି । ପ୍ରତିଦିନ ନୟାଗଡ଼ ଜିଲ୍ଲାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପାଖାପାଖି ୨୦ରୁ ୩୦ କୁଇଣ୍ଟାଲ ଛେନାପୋଡ଼ ବସ୍ ଯୋଗେ ପଠା ଯାଇଥାଏ । ଛେନା ବ୍ୟବସାୟ ଉପରେ ନିର୍ଭର କରି ଅନେକ ଲୋକ ଗୋପାଳନ ସହ ଗୋସମ୍ପଦ ବୃଦ୍ଧି ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି । ଯାହାଦ୍ଵାରା ସେମାନେ ଆର୍ଥିକ ସ୍ବାବଲମ୍ବୀ ହୋଇପାରିଛନ୍ତି । ଜିଲ୍ଲାର ମାଛିପଡ଼ା ଗ୍ରାମରେ ଅନେକ ଲୋକ ଗୋଚାଷ କରି କ୍ଷୀର ଏବଂ ଛେନା ପ୍ରସ୍ତୁତ କରୁଛନ୍ତି । ଏବଂ ସେହି ଛେନାରୁ ଘରେ ଘରେ ତିଆରି କରୁଛନ୍ତି ଛେନାପୋଡ଼ । ଯାହାକୁ ବଡ଼ ବଡ଼ ବ୍ୟବସାୟୀ ମାନଙ୍କୁ ବିକ୍ରି କରି ନିଜର ଆର୍ଥିକ ଅଭିବୃଦ୍ଧି କରି ପାରୁଛନ୍ତି । ଛେନାପୋଡ଼ ର ଉତ୍ପତ୍ତି ହେବା ପରଠାରୁ ଏହାର ସ୍ଵାଦ ପ୍ରତି ପ୍ରତ୍ୟେକ ବ୍ୟକ୍ତିଙ୍କର ଭାବ ଯୋଡ଼ି ହୋଇରହିଛି । ବର୍ତ୍ତମାନ ନୟାଗଡ଼କୁ ଆସୁଥିବା ବ୍ୟକ୍ତି ପ୍ରଥମେ ଛେନାପୋଡ଼ ଖାଇବାକୁ ଇଚ୍ଛା କରୁଛନ୍ତି ।