ପିଠା : ଓଡ଼ିଆ ସଂସ୍କୃତିର ଅନ୍ୟତମ ପରିଚୟ

212

ଓଡ଼ିଶାର ଅନ୍ୟତମ ପରିଚୟ କହିଲେ, ଏହାର ଖାଦ୍ୟପେୟକୁ ବୁଝାଏ | ଅନ୍ୟ ଅଞ୍ଚଳର ଲୋକେ ଯେଉଁ ପ୍ରାକୃତିକ ଜିନିଷ ଗୁଡ଼ିକୁ ଅଦରକାରୀ ଭାବି ବ୍ୟବହାର କରନ୍ତି ନାହିଁ,ଓଡ଼ିଶାର ଲୋକମାନେ ସେହି ସବୁ ଜିନିଷକୁ ବ୍ୟବହାର କରି ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ତିଆରି କରନ୍ତି | ଏହାହିଁ ହେଉଛି ଆମ ଓଡ଼ିଆ ମାନଙ୍କର ସ୍ୱତନ୍ତ୍ରତା |

ଭାରତ ଇତିହାସରେ “ପିଠା” ମାନଙ୍କର ଇତିହାସ ମଧ୍ୟ ଖୁବ ପ୍ରାଚୀନ। ବିଶେଷ କରି ପୂର୍ବ ଭାରତରେ ଥିବା ରାଜ୍ୟ ଗୁଡିକ ଯଥା : ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଆଦି ରାଜ୍ୟରେ ଏହି ପିଠାଗୁଡିକୁ ପାରମ୍ପରିକ ଖାଦ୍ୟ ଭାବରେ ପ୍ରସ୍ତୁତ କରାଯାଇଥାଏ |

ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଓଡ଼ିଶାରେ ପିଠାର ସ୍ଥାନ ସ୍ୱତନ୍ତ୍ର | ବାହାଘର ଠାରୁ ଆରମ୍ଭ କରି ଶୁଦ୍ଦିକ୍ରିୟା ଯାଏଁ, ସବୁ କାମରେ ପିଠାକୁ ଖୋଜା ପଡ଼େ | ଯେତେ ନ’ ତୁଣ ଛଅ ଭଜା ହୋଇଥିଲେ ବି ବିନା ପିଠାରେ ଓଡ଼ିଆ ଘରର କୌଣସି କାମ ହୁଏନି | ସେଥିରେ ପୁଣି ପିଠାର ବିଭିନ୍ନ ରକମ ଅଛି | ବିଭିନ୍ନ ଆକାର, ପ୍ରକାର ଓ ରଙ୍ଗର ପିଠା ମଧ୍ୟ ଦେଖିବାକୁ ମିଳେ | ଆରିସା ପିଠା, କାକରା ପିଠା, ଚକୁଳି ପିଠା, ଛୁଞ୍ଚିପତ୍ର ପିଠା, ଏଣ୍ଡୁରି ପିଠା, ପୋଡ଼ ପିଠା, ମଣ୍ଡା ପିଠା, ଗଇଁଠା ପିଠା, ଚିତଉ ପିଠା ଏହିପରି ଆହୁରି କେତେ ପିଠା ଅଛନ୍ତି |

ଓଡ଼ିଶାର ଜନସାଧାରଣଙ୍କ ଠୁ’ , ଆମ ବଡ଼ ଠାକୁରଙ୍କର ପିଠା ବେଶୀ ପ୍ରିୟ | ଜଗନ୍ନାଥଙ୍କ ହେଉଥିବା ଛପନ ପଉଟି ଭୋଗ ପିଠା ବିନା ଅସମ୍ପୂର୍ଣ୍ଣ |

ଏହି ପିଠା ଯେ ଖାଲି ପାଟି ସୁଆଦିଆ ତାହା ନୁହେଁ, ଏହା ଆମ ଶରୀର ପାଇଁ ମଧ୍ୟ ହିତକାର | ପିଠା ତିଆରି ସମୟରେ ଏଥିରେ ବ୍ୟବହୃତ ବିଭିନ୍ନ ପ୍ରାକୃତିକ ଉପାଦାନମାନ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାନ୍ତି, ଏଥି ସହ ଏଣ୍ଡୁରି ପିଠା ପ୍ରସ୍ତୁତ କରିବାରେ ବ୍ୟବହୃତ ହଳଦୀ ପତ୍ର ଆମ ଚର୍ମ ପାଇଁ ମଧ୍ୟ ଅତ୍ୟନ୍ତ ହିତକାରୀ |

ପରିବର୍ତ୍ତିତ ସମୟ ସହ, ଆମ ଚାଲିଚଳଣିରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି। ଆମେ ପାଶ୍ଚାତ୍ୟ ସଂସ୍କୃତି ଓ ଖାଦ୍ୟ ପ୍ରେମରେ ଏତେ ପଡିଯାଇଛୁ ଯେ, ଆମେ ଆମ ନିଜ ସଂସ୍କୃତି ଓ ଖାଦ୍ୟପେୟକୁ ଭୁଲି ଯାଉଛେ ତଥା ; ଆମ ପିଲାମାନଙ୍କୁ ମଧ୍ୟ ପାରମ୍ପରିକ ଓଡ଼ିଆ ଖାଦ୍ୟପେୟ ବିଷୟରେ ଜାଣିବାରୁ ବଞ୍ଚିତ କରୁଛେ |

ଆଜିକାଲିକା ପିଲାମାନଙ୍କୁ ବାପାମାଆ ମାନେ ଓଡ଼ିଆ ଘରର ପିଠା ସ୍ଥାନରେ ପାଶ୍ଚାତ୍ୟ ପିଠା (କେକ୍ ) ଦେଉଛନ୍ତି | ପିଲାମାନେ କେତେପ୍ରକାରର ପିଠା ଅଛି ଜାଣି ନ’ ଥିବେ, କିନ୍ତୁ ବିଭିନ୍ନ ପ୍ରକାରର କେକ୍ ବିଷୟରେ ନିହାତି ଜାଣିଥିବେ |

ଓଡ଼ିଶାର ପରିଚୟ ବୋଲାଉଥିବା “ପିଠା” ଏବେ ବିଲୁପ୍ତ ହେବାକୁ ବସିଲାଣି | ତେଣୁ, ସମୟ ସ୍ରୋତରେ ବିଲୀନ ହେବା ପୂର୍ବରୁ କିପରି ଏହାକୁ ବଞ୍ଚାଇ ବିଶ୍ୱସ୍ତରୀୟ କରାଯାଇପାରିବ ; ତାହା ଜଣେ ଓଡ଼ିଆ ହିସାବରେ ଆମ ସମସ୍ତଙ୍କ କର୍ତ୍ତବ୍ୟ |